ଚେନ୍ନାଇ: ଯୁବ ଦ୍ରୁତ ବୋଲରର ଆକାଶ ମାଧୱାଲ୍ଙ୍କ ୫ ୱିକେଟ୍ ସଫଳତା ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଥରେ ଷଷ୍ଠ ଆଇପିଏଲ୍ ଟ୍ରଫି ନିକଟତର ହୋଇଛି ।ଏଲିମିନେଟରରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୮୧ ରନ୍ରେ ପରାସ୍ତ କରି ଏହି ଦଳ କ୍ବାଲିଫାୟର-୨ରେ ପ୍ରବେଶ କରିଛି। ୨୬ ତାରିଖରେ ଅହମଦାବାଦରେ ଖେଳାଯିବାକୁ ଥିବା କ୍ବାଲିଫାୟର-୨ରେ ମୁମ୍ବାଇ ଇଣ୍ଡିଆନ୍ସର ସାମ୍ନା କ୍ବାଲିଫାୟର-୧ର ପରାଜିତ ଦଳ ଗୁଜରାଟ ଟାଇଟନ୍ସ ସହ ହେବ।
ଚେନ୍ନାଇର ଏମ୍ଏ ଚିଦାମ୍ବର ଷ୍ଟାଡିୟମ୍ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ମାଧୱାଲ୍ଙ୍କ ସହ ଅନ୍ୟମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ଲକ୍ଷ୍ନୌ ବିପର୍ଯ୍ୟୟରେ ବୁଡ଼ି ରହିଥିଲା। କେବଳ ମାର୍କସ ଷ୍ଟୋଇନିସ୍ ୪୦ ରନ୍ କରି ଧିରେଧିରେ ରନ୍ ଗତି ବଢ଼ାଇବାକୁ ଚେଷ୍ଟା କରୁଥିଲେ ବି ଦ୍ବାଦଶ ଓଭରରେ ରନ୍ ଆଉଟ୍ ହେବାରୁ ଲକ୍ଷ୍ନୌର ସବୁ ଆଶା ମଉଳି ଯାଇଥିଲା। ଷ୍ଟୋଇନିସ୍ଙ୍କ ବ୍ୟତୀତ କାୟଲ ମାୟର୍ସ ଓ ଦୀପକ ହୁଦା ଦୁଇ ଅଙ୍କ ଛୁଇଁ ପାରିଥିଲେ। ମାଧୱାଲ (୩.୩-୦-୫-୫) ମ୍ୟାଚ୍ ବିଜୟୀ ବୋଲିଂ ଚିତ୍ର ସହ ଟ୍ବେଣ୍ଟି-୨୦ରେ ପ୍ରଥମ ୫ ୱିକେଟ୍ ସଫଳତା ପାଇଥିଲେ।
ଏଥିପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ୭ ୱିକେଟ୍ ବିନିମୟରେ ୧୮୨ ରନ୍ ସଂଗ୍ରହ କରିଥିଲା। ଈଶାନ କିଶନ ଓ ରୋହିତ ଶର୍ମା ପ୍ରଥମରୁ ୧୦.୦୦ ହାରରେ ରନ୍ ସଂଗ୍ରହ କରୁଥିଲେ। କିନ୍ତୁ ଆଫ୍ଗାନୀ ବୋଲର ନବୀନ ଉଲ୍ ହକ୍ ଓ ୟାଶ ଠାକୁର ଉଭୟଙ୍କୁ ପାୱାର ପ୍ଲେ ଭିତରେ ଆଉଟ୍ କରିଥିଲେ। ତଥାପି କାମେରନ୍ ଗ୍ରିନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ବିପର୍ଯ୍ୟୟରୁ ଉଦ୍ଧାର କରି ତୃତୀୟ ୱିକେଟ୍ରେ ୬୬ ରନ୍ ଯୋଡ଼ିଥିଲେ। ହେଲେ ୧୧ତମ ଓଭରରେ ନବୀନ ପୁଣି ଥରେ ଗ୍ରିନ୍ ଓ ସୂର୍ଯ୍ୟଙ୍କୁ ଗୋଟିଏ ବଲ୍ ବ୍ୟବଧାନରେ ଆଉଟ୍ କରି ଲକ୍ଷ୍ନୌକୁ ବଡ଼ ସଫଳତା ଦେଇଥିଲେ। ତିଳକ ବର୍ମା କିଛି ଆକର୍ଷଣୀୟ ସଟ୍ ଖେଳି ଦଳକୁ ୧୫୦ ପାର୍ କରାଇଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ। ନେହଲ ୱାଧିରା ଡେଥ୍ ଓଭରରେ ଛକା, ଚୌକା ମାରି ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ନବୀନ (୪-୦-୩୮-୪) ସବୁଠୁ ସଫଳ ବୋଲର ହୋଇଥିଲା ବେଳେ ୟଶ ଠାକୁର ୩ ଓ ମୋହସିନ୍ ଖାନ୍ ୧ ୱିକେଟ୍ ପାଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

