ନ୍ୟୁଜଗ୍ୟାଲେରି, କଳାହାଣ୍ଡି :ଭବାନୀପାଟଣା ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୭୦ତମ ଓଡ଼ିଶା ରାଜ୍ୟ ବିଦ୍ୟାଳୟ ସମୂହ ୧୪ ଓ ୧୭ ବର୍ଷରୁ କମ ବାଳକ ଓ ବାଳିକା ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ରାଜ୍ୟ ର ଜିଲ୍ଲା ବିଦ୍ୟାଳୟ କ୍ରୀଡା ସମୂହ, କଳାହାଣ୍ଡି ଏହି ପ୍ରତିଯୋଗିତା ଆୟୋଜନ କରୁଛନ୍ତି।
ଛାତ୍ର ଛାତ୍ରୀ ମାନଙ୍କ ସମାବେଶ ରେ ମା’ ମାଣିକେଶ୍ୱରୀ ମନ୍ଦିରରୁ ମଶାଲ ଆସିବା ପରେ ପ୍ରତିଯୋଗୀମାନଙ୍କ ସମ୍ମିଳିତ ପଦଚାଳନା ଓ ରାଷ୍ଟ୍ରଗାନ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିରଞ୍ଚି ନାରାୟଣ ବାହିନୀପତିଙ୍କ ସଂଯୋଜନାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମୁଷିଗୁଡ଼ାର ଶିକ୍ଷାର୍ଥୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଶାସ୍ତ୍ରୀଜୀ ଶିକ୍ଷା ନିକେତନର ଶିକ୍ଷାର୍ଥୀମାନେ ଶାରୀରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ପ୍ରତିଯୋଗୀତାର ଶୁଭାରମ୍ଭ ଘୋଷଣା କରିବା ପୂର୍ବକ କ୍ରୀଡ଼ା ଶୁଭାରମ୍ବ ପତାକା ଉତ୍ତୋଳନ କରିଥିଲେ।ମାନ୍ୟବର ମନ୍ତ୍ରୀ ନିଜ ଅଭିଭାଷଣରେ ଶିକ୍ଷା ସହିତ କ୍ରୀଡ଼ା ର ସମନ୍ନୟ ଛାତ୍ର ଛାତ୍ରୀ ଙ୍କ ସର୍ବାଙ୍ଗୀନ ବିକାଶରେ ବହୁତ ସହାୟକ ହେବା ସହ ଏଭଳି କ୍ରୀଡ଼ା ଆୟୋଜନ ନିଜ ଜୀବନରେ ଶୃଙ୍ଖଳା, ଧୈର୍ଯ୍ୟ, ଏକାଗ୍ରତା, ଆତ୍ମବିଶ୍ୱାସ ଓ ନେତୃତ୍ୱକୁ ବିକାଶ କରିବ ଏବଂ ଏକ ସଫଳ ମଣିଷ ରୂପେ ଗଢ଼ି ତୋଳିବ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ସଭାପତିତ୍ବ କରିଥିବାବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କ୍ରୀଡ଼ା କ୍ଷେତ୍ରରେ କଳାହାଣ୍ଡି ଜିଲ୍ଳାର ଉଜ୍ଜ୍ୱଳ ଭବିଷ୍ୟତ ନେଇ ଉତ୍ସାହ ମୂଳକ ମତ ରଖିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ, ଓଡ଼ିଶାର ଶାରୀରିକ ଶିକ୍ଷା ସହକାରୀ ନିର୍ଦ୍ଦେଶକ ଜ୍ୟୋତି ପ୍ରସାଦ ପରିଡା ବିବରଣୀ ପାଠ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆର୍ତ୍ତତ୍ରାଣ ମହାପାତ୍ର ଓ ଯୁଗଳ କିଶୋର ପୋଢ଼, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତପିମଣି ଜାନୀ ଓ ହେମସାଗର ମହାନନ୍ଦ, ଢେଙ୍କାନାଳ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁଜାତା ପଟ୍ଟନାୟକ ଓ ନୂଆପଡ଼ା ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ ମଞ୍ଚାସୀନ ରହି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ନିରଞ୍ଜନ ଶତପଥୀ। ସଭା କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂହ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୨୧ ଜିଲ୍ଲାରୁ ଆସିଥିବା ୨୩୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି।
Latest entries
ଜିଲ୍ଲା ଖବରNovember 28, 2026ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସମୂହ ତୀରନ୍ଦାଜ ପ୍ରତିଯୋଗିତା ଉଦଘାଟିତ
ଜିଲ୍ଲା ଖବରNovember 27, 2026ପିଆଇବି ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଆୟୋଜିତ
ଜିଲ୍ଲା ଖବରNovember 25, 2026ମହୁରି ପୁରସ୍କାର–୨୦୨୬ ପାଇଁ ଡ଼. ସ୍ୱପ୍ନା ମିଶ୍ର ମନୋନୀତ
ଜିଲ୍ଲା ଖବରNovember 25, 2026ଦାଦପୁର ପି ଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ସହ ଚିତ୍ର ଓ ହସ୍ତ ଶିଳ୍ପ ପ୍ରଦର୍ଶନୀ ମେଳା ଅନୁଷ୍ଠିତ

