ନ୍ୟୁଜଗ୍ୟାଲେରି, ଭବାନୀପାଟଣା:ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମହାବୀର ମହୋତ୍ସବ-୨୦୨୬ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ଆଲୋଚନାଚକ୍ର। କଳାହାଣ୍ଡିର ଲୋକଜ୍ଞାନ ପରମ୍ପରା ଶୀର୍ଷକ ଆଲୋଚନା ଚକ୍ର ସମେତ ମୁଖ୍ୟ ଉତ୍ସବକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ଉଦଘାଟନ କରିଥିଲେ। ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମାଜସେବୀ ଭବେନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଜଗଦୀଶ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବିଶିଷ୍ଟ ଗବେଷକ ପରମେଶ୍ୱର ମୁଣ୍ଡ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିବାବେଳେ ଶିକ୍ଷାବିତ ସୁଶାନ୍ତ କୁମାର ପାଢ଼ୀ ମଞ୍ଚାସୀନ ଥିଲେ। କଳାହାଣ୍ଡିର ଲୋକଜ୍ଞାନ ଓ ପରମ୍ପରା ଜିଲ୍ଲାବାସୀଙ୍କ ଉତଥାନ ପାଇଁ ପ୍ରେରଣାର ଇନ୍ଧନ ଯୋଗାଇ ଆସିଛି ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁସଂଖ୍ୟକ ଗବେଷକ, ବୁଦ୍ଧିଜୀବୀ, ସଚେତନ ନାଗରିକଗଣ ଉପସ୍ଥିତ ଥିଲେ। ଅପରାହ୍ନରେ କଳାହାଣ୍ଡିର ଆରାଧ୍ୟା ମାଣିକେଶ୍ବରୀଙ୍କ ମନ୍ଦିରରୁ ଶାନ୍ତି- ମୈତ୍ରୀ ଓ ସଂହତି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଉର୍ଦୁ ଏକାଡେମୀର ସଦସ୍ୟ ଅବଦୁଲ କାଦିରଙ୍କ ସମେତ ବହୁବିଶିଷ୍ଟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ସାନ୍ଧ୍ୟ କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ଡୁଏଟ ନୃତ୍ୟ ପ୍ରତିଯୋଗିତା। ସାନ୍ଧ୍ୟ କାର୍ଯ୍ୟକ୍ରମ ସାହିତ୍ୟ ସଭା ଓ ଉଦଘାଟନୀ ସମାରୋହରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଜୟ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଯୋଗ ଦେଇଥିଲେ। ଅନୁଷ୍ଠାନର ପ୍ରାକ୍ତନ ସଭାପତି ଜୟନ୍ତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ସମ୍ପର୍କିତ ୨୪ ଗୋଟି ଗବେଷଣାମୂଳକ ନିବନ୍ଧ ସମ୍ବଳିତ ସ୍ମରଣିକା ଗିରିଝରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଉପସଭାପତି ତଥା ଗିରିଝରର ସଂପାଦକ ସଞ୍ଜୟ କୁମାର ସ୍ମରଣିକା ସମ୍ପର୍କରେ ସୂଚନା ଦେଇଥିଲେ। ସଭା ପ୍ରାରମ୍ଭରେ ପୂର୍ବତନ ମନ୍ତ୍ରୀ ତଥା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ରାସବିହାରୀ ବେହେରାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ସଭା ପରିଚାଳନା ଓ ନାଟ୍ୟ ସଂପାଦକ ସୁଶାନ୍ତ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ଲିଙ୍ଗରାଜ ବିଶ୍ୱାଳ, କ୍ରୀଡ଼ାକ୍ଷେତ୍ରରେ ପ୍ରଶାନ୍ତ ପଣ୍ଡା, ଚିତ୍ରକଳା କ୍ଷେତ୍ରରେ କ୍ଷୀରସିନ୍ଧୁ ଭୋଇ, ମହାବୀର ଯୁବ କଳାକାର ସମ୍ମାନ ଶୁଭମ ପ୍ରଧାନ, ସ୍ୱତନ୍ତ୍ର ସମ୍ମାନ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁଙ୍କୁ ସମ୍ମାନିତ କରାଯାଇଥିଲା। ସଭା ଶେଷରେ ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ପରିବେଶିତ ହୋଇଥିଲା।
Latest entries
ଜିଲ୍ଲା ଖବରNovember 13, 2026ମାଣ୍ଡିଆ ଚାଷ ନାଁରେ ଦୁର୍ନୀତି ଅଭିଯୋଗ, ତଦନ୍ତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ
ଜିଲ୍ଲା ଖବରNovember 13, 2026ଯୁବଶକ୍ତିଙ୍କ ନେତୃତ୍ୱ ଓ ସୃଜନଶୀଳତା ହିଁ ବିକଶିତ ଭାରତର ମୂଳ ଆଧାର
ଜିଲ୍ଲା ଖବରNovember 12, 2026ମଧୁବାବୁ ପେନସନ ଯୋଜନା ର ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ
ଜିଲ୍ଲା ଖବରNovember 12, 2026ଲୋକଜ୍ଞାନ ଓ ପରମ୍ପରା କଳାହାଣ୍ଡି ପାଇଁ ପ୍ରେରଣାର ଇନ୍ଧନ ଯୋଗାଏ

