ମାଣ୍ଡିଆ ଚାଷ ନାଁରେ ଦୁର୍ନୀତି ଅଭିଯୋଗ, ତଦନ୍ତ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀ

ନ୍ୟୁଜଗ୍ୟାଲେରି, ଧର୍ମଗଡ :  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ମିଲେଟ ମିଶନ ନାଁରେ ମାଣ୍ଡିଆ ଚାଷରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ ପରେ କ୍ଷେତ୍ରସ୍ତରୀୟ ତଦନ୍ତ କରିଛନ୍ତି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଓ ବିଭାଗୀୟ ଅଧିକାରୀ। ସୂଚନା ଅନୁଯାୟୀ, କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତରେ ମିଲେଟ ମିଶନ ପକ୍ଷରୁ ଏକ ସ୍ୱେଚ୍ଛାସେବୀ ସଂସ୍ଥାକୁ ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ଆବଶ୍ୟକୀୟ ସହାୟତା ଯୋଗାଇଦେବା ଦାୟିତ୍ୱ ଦିଆଯାଇଛି। ତେବେ ଉକ୍ତ ସଂସ୍ଥା ମାଣ୍ଡିଆ ଚାଷ ନାଁରେ ଚାଷୀଙ୍କ ନାମରେ ଜାଲିଆତି ଓ ଅର୍ଥ ହେରଫେର କରୁଥିବା ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇଆସୁଥିଲା।
ଏହି ଅଭିଯୋଗକୁ ଗୁରୁତ୍ୱ ଦେଇ ଆଜି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀମାନେ ବାଞ୍ଜିକୋଟ, ଚୋରଣୀଦୁଆର ଓ ଧୋବେନପଡ଼ା ଗ୍ରାମରେ ପହଞ୍ଚି ମାଣ୍ଡିଆ ଚାଷ ଜମି ପରିଦର୍ଶନ କରିଥିଲେ। ଏଥିସହ ଚାଷୀମାନଙ୍କୁ ଭେଟି ଚାଷର ସ୍ଥିତି, ମିଳୁଥିବା ସରକାରୀ ସହାୟତା ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ତଦନ୍ତ ସମୟରେ ମାଣ୍ଡିଆ ଚାଷ କାର୍ଯ୍ୟରେ ବିଭିନ୍ନ ଅନିୟମିତତା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ସମସ୍ତ ଚାଷୀଙ୍କ ନାମ, ଚାଷ ହୋଇଥିବା ଜମିର ସମ୍ପୂର୍ଣ୍ଣ ତଥ୍ୟ ଓ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ ତାଗିଦ କରିଛନ୍ତି ଶ୍ରୀ ପଟ୍ଟଯୋଶୀ। ଏଥିସହ ଚାଷୀଙ୍କ ନାମରେ ଜାଲିଆତି ଓ ଅର୍ଥ ହେରଫେର ଅଭିଯୋଗର ସତ୍ୟତା ଯାଞ୍ଚ କରି ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts