ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚିଚିଆ ଗ୍ରାମର ଅଦ୍ୱିକା କିଶୋରୀ ନେତ୍ରୀ ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ନିରୋଧ, ଡିଜିଟାଲ୍ ସୁରକ୍ଷା ଓ ସାଇବର ସଚେତନତାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। ସୁମିଙ୍କ ଏହି ଅସାଧାରଣ ସଫଳତା ଓ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାପାଳ, କଳାହାଣ୍ଡି ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫୧,୦୦୦/- ଟଙ୍କାର ପ୍ରୋତ୍ସାହନମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସୁମିଙ୍କ ବର୍ତ୍ତମାନର ଶିକ୍ଷାଗତ ସ୍ଥିତି, ପାଠପଢ଼ା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଆନ୍ତରିକତାର ସହ ପଚାରି ବୁଝିଥିଲେ। ଏଥିସହ ଭବିଷ୍ୟତରେ ମଧ୍ୟ ଏଭଳି ଉଦାହରଣୀୟ କାର୍ଯ୍ୟ ଜାରି ରଖିବା ସହ ନିଜ ଭଳି ଅନ୍ୟ କିଶୋରୀମାନଙ୍କୁ ସଚେତନ, ସଶକ୍ତ ଓ ସମାଜ ପରିବର୍ତ୍ତନର ଅଗ୍ରଦୂତ ଭାବେ ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ। ଏହି ସଫଳତା ପଛରେ ଅଦ୍ୱିକା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି କିଶୋରୀମାନଙ୍କ ମଧ୍ୟରେ ନେତୃତ୍ୱ, ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଦିଗରେ ଉଦାହରଣୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ଜିଲ୍ଲା ଓ ବ୍ଲକ ସଂଯୋଜଙ୍କୁ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି, ଆରକ୍ଷୀ ଅଧୀକ୍ଷକ, କଳାହାଣ୍ଡି ସୁମି ସତନାମୀଙ୍କୁ ସମ୍ମାନିତ କରିବା ସହ ସାଇବର ଅପରାଧ ନିରୋଧ, ବାଲ୍ୟବିବାହ ପ୍ରତିରୋଧ ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଦିଗରେ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଏବଂ ଅଦ୍ୱିକା ଗୋଷ୍ଠୀର ସାମୂହିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସୁମିଙ୍କ ନିଷ୍ଠା, ସାହସ ଓ ସାମାଜିକ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କୁ ୧୭,୫୦୦/- ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ମଧ୍ୟ ସୁମିଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ସାମାଜିକ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। କିଶୋରୀ ବାଳିକାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ଗଠନ ନିମନ୍ତେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିରନ୍ତର ଜାରି ରଖିବାକୁ ସେ ସୁମିଙ୍କୁ ପ୍ରୋତ୍ସାହିତ କରିଥିଲେ। ଏଥିସହ ଏଭଳି ଅଭିନବ ଓ ପ୍ରଭାବଶାଳୀ କାର୍ଯ୍ୟକ୍ରମକୁ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ସମ୍ପ୍ରସାରଣ କରିବା ନିମନ୍ତେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁମି ସତନାମୀଙ୍କ ସମେତ ଏଡ୍ ଏଟ୍ ଆକ୍ସନର ବ୍ଲକ ସଂଯୋଜିକା ଓ ଜିଲ୍ଲା ସଂଯୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାମାନଙ୍କ ସଶକ୍ତିକରଣ, ନେତୃତ୍ୱ ବିକାଶ, ଅଧିକାର ସଚେତନତା ଓ ସାମାଜିକ ପରିବର୍ତ୍ତନ ଦିଗରେ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ସହଯୋଗରେ ଚାଲିଥିବା ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମସ୍ତ ସମ୍ମାନ ଓ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସଦସ୍ୟବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ, ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଓ ବ୍ଲକ ସଂଯୋଜିକାଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରNovember 6, 2026ପୂର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ରାସ ବିହାରୀ ବେହେରାଙ୍କ ପରଲୋକ
ଜିଲ୍ଲା ଖବରNovember 6, 2026ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ
ଜିଲ୍ଲା ଖବରNovember 3, 2026କଳାହାଣ୍ଡି ଜିଲ୍ଲା କର୍ମଜୀବୀ ସାମ୍ବାଦିକ ସଂଘ ଜିଲ୍ଲା କମିଟି ଗଠିତ
ଜିଲ୍ଲା ଖବରOctober 31, 2026କଳାହାଣ୍ଡି ମାଟିରେ ପ୍ରଥମ ଥର ରାଜ୍ୟ ସ୍ତରୀୟ କ୍ୟାରମ ମହାକୁମ୍ଭ

