ନ୍ୟୁଜଗ୍ୟାଲେରି,କଳାହାଣ୍ଡି : ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆମ୍ବୁଲାନ୍ସ ସେବା ଓ ଚିକିତ୍ସା ବ୍ୟବସ୍ଥାରେ ଅବହେଳା ଅଭିଯୋଗ କରି ମୃତକଙ୍କ ପରିବାର ଓ ଗ୍ରାମବାସୀ ନ୍ୟାୟ ଏବଂ ଉପଯୁକ୍ତ କ୍ଷତିପୂରଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୃତଦେହ ରଖି ବିକ୍ଷୋଭ କରିଥିଲେ।ସୂଚନା ଅନୁଯାୟୀ, କର୍ଲାସୋଡା ଗ୍ରାମର ଶୀତଳ ନାଏକ କପଡ଼ା ଶୁଖାଇବା ସମୟରେ ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଝିଅ ବିଦ୍ୟୁତ୍ ଆଘାତରେ ପଡ଼ିଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ମା’ ଲଳିତା ନାଏକ ମଧ୍ୟ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଉଭୟ ଗୁରୁତର ହୋଇପଡ଼ିବା ପରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ।ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଆମ୍ବୁଲାନ୍ସ ପାଇଁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମୟରେ ଆମ୍ବୁଲାନ୍ସ ପହଞ୍ଚିନଥିଲା। ଫଳରେ ସମ୍ପର୍କୀୟମାନେ ଅଟୋ ଯୋଗେ ଉଭୟଙ୍କୁ କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।ଘଟଣା ପରେ ମୃତକଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଥିଲା। ନ୍ୟାୟ ଓ କ୍ଷତିପୂରଣ ଦାବିରେ ମୃତଦେହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାକ୍ଷୀ ବିକ୍ଷୋଭ କରାଯାଇଥିଲା। ଫଳରେ ଘଟଣାସ୍ଥଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଥିଲା।ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରାଯାଇଥିଲା। ମୃତକଙ୍କ ପରିବାରକୁ ନିୟମାନୁଯାୟୀ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Latest entries
ଜିଲ୍ଲା ଖବରSeptember 10, 2026ଜିଲ୍ଲା ସ୍ତରୀୟ ” ବେଟି ବଚାଓ ବେଟି ପଢ଼ାଓ” ସମନ୍ନୟ ବୈଠକ ଅନୁଷ୍ଠିତ
ଜିଲ୍ଲା ଖବରSeptember 9, 2026ବିଦ୍ୟୁତ୍ ସଂସ୍ପର୍ଶରେ ମା’-ଝିଅଙ୍କ ମୃତ୍ୟୁ
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର

