ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡିର ଯୁବ ଲେଖକ ତଥା ଗବେଷକ ସୁଧୀର କୁମାର ଧଙ୍ଗଡ଼ାମାଝୀ ‘ଭାରତସ୍ କଲଚରାଲ୍ କନେକସନ୍ସ ଏକ୍ରସ୍ ଦ ଗ୍ଲୋବ୍’ ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ ପାଇଁ ଆମନ୍ତ୍ରିତ ହୋଇଛନ୍ତି। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ କଳା କେନ୍ଦ୍ର (ଆଇଜିଏନସିଏ) ପକ୍ଷରୁ ଗ୍ରେଟର ଇଣ୍ଡିଆ ସୋସାଇଟିର ଶତବାର୍ଷିକୀ ଉପଲକ୍ଷେ ଏହି ସମ୍ମିଳନୀ ଆୟୋଜିତ ହେଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆସନ୍ତା ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଉକ୍ତ ସମ୍ମିଳନୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ‘ଫ୍ରମ୍ ମହାନଦୀ ଟୁ ମେଲାକା: ମ୍ୟାପିଂ ଦ ମାରିଟାଇମ୍ ଟ୍ରେଡ୍ ରୁଟ୍ସ ଅଫ୍ କଳିଙ୍ଗ ସାଧବସ୍’ ଶୀର୍ଷକ ତାଙ୍କ ଗବେଷଣାପତ୍ରରେ ପ୍ରାଚୀନ କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସିଆକୁ ସଂଯୋଗ କରୁଥିବା ଐତିହାସିକ ନୌବାଣିଜ୍ୟ ପଥ ତଥା ବାଣିଜ୍ୟିକ ସାମଗ୍ରୀ ସମେତ ବିଚାର ଓ ସଂସ୍କୃତି ଆଦାନପ୍ରଦାନରେ କଳିଙ୍ଗର ସାଧବମାନଙ୍କ ଭୂମିକାକୁ ଅନୁଶୀଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମରେ ଜନ୍ମିତ ସୁଧୀର ଜଣେ ଗବେଷକ, ଲେଖକ, ସମ୍ପାଦକ, ଉଦଘୋଷକ ତଥା ସଂସ୍କୃତି କର୍ମୀ। ସଂପ୍ରତି ସେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ। ଶିକ୍ଷା, ଭାଷା, ସାହିତ୍ୟ, ସଂସ୍କୃତି ଓ ଇତିହାସ ତାଙ୍କ ଅଧ୍ୟୟନ ଓ ଗବେଷଣାର ପ୍ରମୁଖ କ୍ଷେତ୍ର। ତାଙ୍କ ଗଳ୍ପ ସଂକଳନ ‘ଖଂଗାର’ ୨୦୨୧ରେ ଟାଇମପାସ୍ ବେଷ୍ଟସେଲର ପୁରସ୍କାର ଲାଭ କରିଥିବା ବେଳେ ୨୦୨୦ ଓ ୨୦୨୧ରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ସଂକ୍ଷିପ୍ତ ସୂଚୀରେ ସ୍ଥାନିତ ହୋଇଥିଲା। ଏହି ଅନ୍ତର୍ଜାତୀୟ ମଞ୍ଚରେ ସେ ଅସୁରଗଡ଼ରୁ ସାନ୍ଦୁଲ, ତେଲ ଓ ମହାନଦୀ ଦେଇ ବଙ୍ଗୋପସାଗର, ମେଲାକା ପ୍ରଣାଳୀ ଓ ଦକ୍ଷିଣ-ପୂର୍ବ ଏସିଆ ପର୍ଯ୍ୟନ୍ତ ବ୍ୟାପ୍ତ ଐତିହାସିକ ସଂଯୋଗକୁ ବିଶ୍ୱର ଶିକ୍ଷାବିତ୍ ଓ ଗବେଷକମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ସୁଯୋଗ ପାଇବେ ବୋଲି ଶ୍ରୀ ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

