ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଛାତ୍ରୀମାନଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ମାନକୁ ନେଇ ଗୁରୁତର ଅଭିଯୋଗ ଉଠିଛି। ଗତ ୧୫ ନଭେମ୍ବର ରବିବାର ମଧ୍ୟାହ୍ନ ଭୋଜନ ସମୟରେ ଜଣେ ଛାତ୍ରୀଙ୍କ ଖାଦ୍ୟ ଥାଳିରୁ ଏକ ବଡ଼ ପୋକର ଲାର୍ଭା ବାହାରିଥିବା ଅଭିଯୋଗ ହୋଇଛି। ଏ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବାପରେ ଛାତ୍ରୀନିବାସରେ ରହୁଥିବା ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଖାଦ୍ୟର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏହି ଘଟଣା ନେଇ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା ଖାଦ୍ୟ ନିରାପତ୍ତାର ପଦସ୍ଥ ଅଧିକାରୀ ସନ୍ତୋଷ କୁମାର ମହାପାତ୍ର ଏବଂ ଖାଦ୍ୟ ନିରାପତ୍ତା ଅଧିକାରୀ ବିଶ୍ବଜିତ ନାୟକ ଉଭୟଙ୍କୁ ସାକ୍ଷାତ କରିବା ସହ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମସ୍ତ ହଷ୍ଟେଲ ନିରିକ୍ଷଣ ପାଇଁ ଦାବିପତ୍ର ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଛାତ୍ରୀନିବାସର ରୋଷେଇଶାଳାରେ ପରିମଳ ବ୍ୟବସ୍ଥା ଓ ଖାଦ୍ୟର ଗୁଣବତ୍ତା ପ୍ରତି ଆବଶ୍ୟକ ଧ୍ୟାନ ଦିଆଯାଉନାହିଁ। ଏପରିକି ଘଟଣାଟିକୁ ଚାପି ଦେବାକୁ ହଷ୍ଟେଲ ଅଧିକ୍ଷକ ଉଦ୍ୟମ କରିଥିବା ମଧ୍ୟ ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ, ମେସ୍ ପରିଚାଳନା ପାଇଁ ବୈଧ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଲାଇସେନ୍ସ ରହିଛି କି ନାହିଁ ଏବଂ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିୟମାନୁଯାୟୀ ଟେଣ୍ଡର ପ୍ରକ୍ରିୟା ଅନୁସରଣ କରାଯାଇଛି କି ନାହିଁ ଯାଞ୍ଚ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ ହୋଇଛି। ବିନା ଉପଯୁକ୍ତ ଅନୁମତି ଓ ଯାଞ୍ଚରେ ଶତାଧିକ ଛାତ୍ରୀଙ୍କୁ ଖାଦ୍ୟ ଯୋଗାଣ କରାଯାଉଥିବା ଅଭିଯୋଗ ହୋଇଛି।
ବିଜୁ ଯୁବ ଜନତା ଦଳ ପକ୍ଷରୁ ନାଗାବଳୀ ଛାତ୍ରୀନିବାସର ରୋଷେଇଶାଳା ଓ ଖାଦ୍ୟର ମାନ ତୁରନ୍ତ ଯାଞ୍ଚ କରିବା, ମେସ୍ ପରିଚାଳକ ଓ ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରି ଆବଶ୍ୟକ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏଥିସହ ପୁରୁଣା ମେସ୍ ବ୍ୟବସ୍ଥାର ସମୀକ୍ଷା କରି ବୈଧ ଫୁଡ୍ ସେଫଟି ଲାଇସେନ୍ସଧାରୀ ସଂସ୍ଥାକୁ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟାରେ ମେସ୍ ପରିଚାଳନା ଦାୟିତ୍ୱ ଦେବା ପାଇଁ ମାନକ ପରିଚାଳନା ପ୍ରକ୍ରିୟା ନିର୍ଧାରଣ କରିବା, ଛାତ୍ରୀମାନଙ୍କୁ ନିୟମିତ ଭାବେ ସ୍ୱାସ୍ଥ୍ୟକର ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, କେ ପ୍ରବୀଣ କୁମାର, ସିଦ୍ଧାର୍ଥ ନାୟକ, ଭୋଳାନାଥ ନାଗ, ସୁରଜ୍ ହରପାଲ, ଆଦିତ୍ୟ ରାଉତ, କଳିକେଶ ଖମାରୀ ପ୍ରମୁଖ ଯୋଗଦେଇଥିଲେ।
Latest entries
ଜିଲ୍ଲା ଖବରNovember 21, 2026ପିଏମ୍ଏୱାଇ ଟଙ୍କା ମଞ୍ଜୁର ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଜୁନାଗଡ଼ ଏନ୍ଏସି କର୍ମଚାରୀ
ଜିଲ୍ଲା ଖବରNovember 21, 2026ମାଁ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ନାଗାବଳୀ ଛାତ୍ରୀ ନିବାସରେ ଖାଦ୍ୟରୁ ବଡ଼ ପୋକ ବାହାରିବା ଘଟଣା: କାର୍ଯ୍ୟାନୁଷ୍ଠାନ କେବେ?
ଜିଲ୍ଲା ଖବରNovember 21, 2026ଜାତୀୟ ରାଜପଥ-୨୬ ନଂ ରେ ବାଇପାସ୍ ରାସ୍ତା ନିର୍ମାଣ ଦାବିରେ ଅନିର୍ଦ୍ଦିଷ୍ଟ କାଳୀନ ଧାରଣା
ଜିଲ୍ଲା ଖବରNovember 21, 2026କର୍ଲାପାଟ ପୋଲିସ ଓ ବନ ବିଭାଗର ଚଢ଼ାଉ ମୂଲ୍ୟବାନ ଶାଳ କାଠ ଗଣ୍ଡୀ ଜବତ

