ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଶିବିର

ନ୍ୟୁଜଗ୍ୟାଲେରି,ଭବାନିପାଟଣା:  ରାଜ୍ୟ ମହିଳା କମିଶନ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା।ଏହି ଶିବିର ଅଦାଲତରେ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମୋଟ ୨୧ଟି ମାମଲାରେ ନୋଟିସ୍ ଜାରି କରାଯାଇଥିଲା। ସେଥିମଧ୍ୟରୁ ୧୬ଟି ମାମଲାର ପକ୍ଷମାନେ ଉପସ୍ଥିତ ରହି ଶୁଣାଣିରେ ଭାଗ ନେଇଥିଲେ। ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିଲା।
ଏହି ଶିବିର ଅଦାଲତ ମାଧ୍ୟମରେ ମହିଳାମାନେ ଘରୋଇ ହିଂସା, କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ଯୌତୁକ ଦାବି, ସମ୍ପତ୍ତି ବିବାଦ, ସାଇବର ଅପରାଧ, ବୈବାହିକ ସମସ୍ୟା ତଥା ଅନ୍ୟାନ୍ୟ ଅଧିକାର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗ ଉପସ୍ଥାପନ କରିବା ଓ ନ୍ୟାୟ ପାଇବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପାଇଥିଲେ।

ଓଡ଼ିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶୋଭନା ମହାନ୍ତି ଏହି ଶିବିର ଅଦାଲତରେ ଅଧ୍ୟକ୍ଷତା କରିଥିଲେ। କମିଶନର ସଦସ୍ୟା ମୁକ୍ତା ସାହୁଙ୍କ ସମେତ ଲିଗାଲ ଆସିଷ୍ଟାଣ୍ଟ ଅରବିନ୍ଦ ପଟ୍ଟନାୟକ, କାର୍ଯ୍ୟଲୟ କର୍ମଚାରି ଦିବାକର ବିଶ୍ୱାଳ, ତ୍ରିଲୋଚନ ନାୟକ ଓ ଚିତ୍ତରଞ୍ଜନ ସାହୁ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରୋଟେକ୍ସନ ଅଫିସର ସନ୍ଧ୍ୟାରାଣୀ ନାୟକ କାର୍ଯ୍ୟକ୍ରମର ସୁଚାରୁ ପରିଚାଳନା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ତାରା ଜସ୍ମିନ୍ ଗୋରିଆ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ମୁଜିବୁନ ନିଶା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ଶେଖର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଏବଂ ଜିଲ୍ଲା ମହିଳା ହବ୍ ସଂଯୋଜକ ଯୋଗେଶ୍ୱର ବୁଦ୍ଧିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts