ଜ୍ଞାନ, ସୃଜନଶୀଳତା ଓ ନୃତ୍ୟ ଆସରରେ ଲୋକେ ବିଭୋର

ନ୍ୟୁଜଗ୍ୟାଲେରି ଭବାନୀପାଟଣା:ମହାବୀର ସାଂସ୍କୃତିକ ଅନୁଷ୍ଠାନର ୬୨ତମ ଜନ୍ମବାର୍ଷିକୀ ଓ ସାରସ୍ୱତ ସମାରୋହ ଅବସରରେ ଆୟୋଜିତ ହେଉଛି ମହାବୀର ମହୋତ୍ସବ-୨୦୨୬। ଆଜି ମହୋତ୍ସବର ତୃତୀୟ ଦିନରେ ପୂର୍ବାହ୍ନରେ କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ସାଧାରଣ ଜ୍ଞାନ ପ୍ରତିଯୋଗିତା। ଭବାନୀପାଟଣା ସମେତ ଆଖପାଖ ଅଞ୍ଚଳର ସରକାରୀ ଓ ବେସରକାରୀ କଲେଜର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ଶୁଭେନ୍ଦୁ କୁମାର ବେହେରାଙ୍କ ସହିତ ଅନୁଷ୍ଠାନର ଉପସଭାପତି ସଞ୍ଜୟ କୁମାର, ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ସିଂହ ପ୍ରମୁଖ ଏହି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ। ମଧ୍ୟାହ୍ନରେ ମହିଳାମାନଙ୍କ ମଧ୍ୟରେ ସାହିତ୍ୟିକ ଭାବନା ତଥା ନବଉନ୍ମେଷର ସଂକଳ୍ପ ନେଇ ଆୟୋଜିତ ହୋଇଥିଲା କ୍ଷୁଦ୍ର ଓଡ଼ିଆ କବିତା ଓ ଗଳ୍ପଲିଖନ ପ୍ରତିଯୋଗିତା। ସନ୍ଧ୍ୟାରେ ୯ରୁ ୧୪ ବର୍ଷ ବୟସର ଶିଶୁ ଓ କିଶୋର କଳାକାରମାନଙ୍କୁ ନେଇ ଶିଶୁ ନୃତ୍ୟ (ଭଜନ ) ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସାନ୍ଧ୍ୟକାଳୀନ ସଭା କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସମାଜସେବୀ ସୁଧାଂଶୁ ନେଗୀ, ବିଶିଷ୍ଟ ଶିକ୍ଷାବିତ ପ୍ରଭାସ ଚନ୍ଦ୍ର ମିଶ୍ର, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ଅକ୍ଷୟ କୁମାର ଦାସ, କଳାହାଣ୍ଡି କଳାକାର ସଂଘର ସଭାପତି ପଦ୍ମନାଭ କୁମାର ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପ ସଭାପତି ସଞ୍ଜୟ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭା କାର୍ଯ୍ୟକ୍ରମରେ ନାଟ୍ୟ ସଂପାଦକ ସୁଶାନ୍ତ ସିଂହ ସ୍ୱାଗତ ଅଭିଭାଷଣ ଓ ସଭା ପରିଚାଳନା କରିଥିବାବେଳେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଗୁରୁ ଭୀମସେନ ସାହୁ, ଅନୁଷ୍ଠାନର ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ, ଯୁଗ୍ମ ସଂପାଦକ ସଞ୍ଜୀବ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ନୃତ୍ୟ ପ୍ରତିଯୋଗିତାରେ ବହୁ ପ୍ରତିଯୋଗୀ ବିଳମ୍ବିତ ରାତିଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିବାବେଳେ ଆଲୋକ କୁମାର ସାହୁ ନୃତ୍ୟ ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ। ସେହିପରି ବିଚାରକ ଭାବେ ହରିଶ ମୁଣ୍ଡ, କ୍ଷୀରସିନ୍ଧୁ ନାଏକ ଓ ପଦ୍ମନାଭ କୁମାର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts