ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ସାହିତ୍ୟ ଓ ଜୀବନଶୈଳୀକୁ ନେଇ କାର୍ଯ୍ୟରତ ଗ୍ଲୋବାଲ୍ ଲାଇଫ୍ରେଚର୍ ଫାଉଣ୍ଡେସନ୍ ପକ୍ଷରୁ କଳାହାଣ୍ଡି ଜିଲ୍ଲା ସ୍ତରୀୟ ପୁସ୍ତକମେଳା ଆୟୋଜନ ପାଇଁ ଦାବି କରାଯାଇଛି। ଏନେଇ ଫାଉଣ୍ଡେସନ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କଳାହାଣ୍ଡି ଜିଲ୍ଲା କଳା, ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରରେ ସମଗ୍ର ବିଶ୍ୱରେ ସ୍ୱାତନ୍ତ୍ର୍ୟ ଅର୍ଜନ କରିଥିବା ବେଳେ ଓଡ଼ିଆ ସାହିତ୍ୟକୁ ଏଠାକାର ଲେଖକ ଲେଖିକାଙ୍କ ଅବଦାନ ଅତୁଳନୀୟ। ପ୍ରାଚୀନ ଯୁଗରୁ ଆରମ୍ଭ କରି ଏଯାବତ୍ ଏହି ମାଟି ବହୁ ସାରସ୍ୱତ ସାଧକଙ୍କୁ ଜନ୍ମ ଦେଇଛି। ପ୍ରାୟ ୧୫ହଜାର ବର୍ଷ ପୁରାତନ ପ୍ରାଗ୍-ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ଏଠାକାର ଅଧିବାସୀଙ୍କ ସୃଜନଶୀଳତାର ଏକ ଅନନ୍ୟ ଉଦାହରଣ। କେବଳ ସାହିତ୍ୟିକ ନୁହନ୍ତି, ଏଠି ସାହିତ୍ୟପ୍ରେମୀଙ୍କର ମଧ୍ୟ ଅଭାବ ନାହିଁ। ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ବାର୍ଷିକ ପୁସ୍ତକମେଳା ଆୟୋଜନ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଏଥିପାଇଁ କୌଣସି ପ୍ରାବଧାନ ନାହିଁ। କେବଳ ଥରେ ୨୦୧୮ ମସିହାରେ ଜିଲ୍ଳା ଗଠନ ଦିବସ ଅବସରରେ ଏକ ପୁସ୍ତକମେଳା ଆୟୋଜନ କରାଯାଇଥିଲା। ତେଣୁ, ଜିଲ୍ଲାର ଲେଖକ ଓ ପାଠକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ ନିୟମିତ ଜିଲ୍ଲା ସ୍ତରୀୟ ପୁସ୍ତକମେଳା ଆୟୋଜନର ବ୍ୟବସ୍ଥା କରାଯିବାକୁ ଲାଇଫ୍ରେଚର୍ ପକ୍ଷରୁ ଦାବି କରାଯାଇଛି। ଏନେଇ ଫାଉଣ୍ଡେସନର ଉପଦେଷ୍ଟା ପରମେଶ୍ବର ମୁଣ୍ଡ, ସଂପାଦକ ରଜତ ବଂଶଲ, ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ଡିଲେଶ୍ୱର ରଣା, ସଦସ୍ୟ ବିକାଶ ରଞ୍ଜନ ମୁଣ୍ଡ ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ।
Latest entries
ଜିଲ୍ଲା ଖବରJune 4, 2026ସ୍ୱାସ୍ଥ୍ୟ ଓ ପରିବେଶ ସଚେତନତା ପାଇଁ ସାଇକେଲ ଯାତ୍ରା
ଜିଲ୍ଲା ଖବରJune 4, 2026ଜେଇଇରେ କୃତିତ୍ୱ ହାସଲ କଲେ ଚେତନ ଅଗ୍ରୱାଲ
ଜିଲ୍ଲା ଖବରJune 4, 2026ଜିଲ୍ଲାକଂଗ୍ରେସ ର ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ
ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ

