ନ୍ୟୁଜ ଗ୍ୟାଲେରି,ଲାଞ୍ଜିଗଡ: (କୈଲାଶ ସାହୁ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡସ୍ଥିତ ବେଦାନ୍ତ ଲିମିଟେଡ଼ ସ୍ଥାପିତ ହୋଇ ଦୀର୍ଘ ୨୦ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ଆଖିଦୃଶିଆ ଉନ୍ନତି ହୋଇ ପାରିନାହିଁ। ଏହାକୁ ନେଇ ଅଞ୍ଚଳବାସୀ ଅନେକ ଥର ଦାବି, ଅଭିଯୋଗ ଓ ଆନ୍ଦୋଳନ କଲେ ବି କୌଣସି ସମାଧାନ ହୋଇପାରୁନାହିଁ।
ଏପରି ଏକ ସମସ୍ୟାକୁ ନେଇ ଆଜି ଲାଞ୍ଜିଗଡ଼ ବଡ଼ପଡା ବାସିନ୍ଦା ବେଦାନ୍ତ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଅନୁଯାୟୀ, ବଡ଼ପଡାର ଅନେକ ପରିବାର ନିଜର ଭିଟାମାଟି ଓ ଜମି ହରାଇଥିବାବେଳେ କମ୍ପାନୀ ଶାଗମାଛ ଦରରେ ହାତେଇଲା କିନ୍ତୁ ଆଶାନୁରୂପ କ୍ଷତିପୂରଣ କିମ୍ବା ନିଯୁକ୍ତି ଦେଲା ନାହିଁ। ଏପରିକି ପାରିପାର୍ଶ୍ଵିକ ଉନ୍ନୟନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା କୁହାଯାଉଥିବାବେଳେ ଆଜି ପର୍ଯ୍ୟନ୍ତ ବଡ଼ପଡାକୁ ଯାତାୟତ ପାଇଁ ରାସ୍ତା ମଧ୍ୟ ନାହିଁ। ସେହିପରି କାମଧନ୍ଦା ଅଭାବରୁ ପଡାର ଯୁବକମାନେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଥିବାବେଳେ ବଡ଼ପଡା ନିକଟସ୍ଥ ବଂଶଧାରା ନଦୀରେ ପୋଲ ନିର୍ମାଣ, ଶିବ ମନ୍ଦିରରୁ ବଡ଼ପଡା ଶେଷମୁଣ୍ଡ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ଗାର୍ଡୱାଲ ଓ ଡ୍ରେନ ନିର୍ମାଣ, ବଡ଼ପଡା ଶେଷମୁଣ୍ଡରୁ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ, ପଡ଼ାର ଦଶଗୋଟି ମହିଳା ଗୋଷ୍ଠୀ ଓ ଜନସାଧାରଣଙ୍କ ପାଇଁ ଦୁଇଟି କମ୍ୟୁନିଟି ହଲ ନିର୍ମାଣ, କମ୍ପାନୀ ଦ୍ୱାରା ବିସ୍ଥାପିତ ଓ ଅଣବିସ୍ଥାପିତ ବ୍ୟକ୍ତିବିଶେଷଙ୍କୁ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଓ ଠିକା କାର୍ଯ୍ୟରେ ଅଗ୍ରାଧିକାର ଦେବାକୁ ଦାବି କରିଛନ୍ତି ପଡାବାସୀ। ଏହି ଅବସରରେ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ ନାୟକ, ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ସମେତ ବଡ଼ପଡା ଡେଭଲପମେଣ୍ଟ କମିଟି ପକ୍ଷରୁ ସଭାପତି ମାଲେଶ ନାଏକ, ସଂପାଦକ ପରମାନନ୍ଦ ନାଏକ, ହରେକୃଷ୍ଣ ତାଣ୍ଡି, ମହାଦେବ ହରିଜନ, ରୋଶନ ନାଏକ, ଥବିର ନାଏକ, ଖିତ ନାଏକ, କିରଣ ହରିଜନଙ୍କ ସହିତ ପଡ଼ାର ଶତାଧିକ ଲୋକେ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

