ଗାଁ ଗାଁ ରେ ବିହାରୀ ପାଣି, ନକଲି ଓ ଧାର୍ଯ୍ୟମୂଲ୍ୟରୁ ଚାଲିଛି ବିକ୍ରୟ କଳାହାଣ୍ଡି ଅବକାରୀ ବିଭାଗ ନିଦାବିଷ୍ଣୁ, କ୍ଷତି ହେଉଛି ରାଜସ୍ୱ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଦିନକୁ ଦିନ ବିଦେଶୀ ମଦ ମାଫିଆଙ୍କ ଦୌରାତ୍ମ୍ୟ ବଢି ଚାଲିଥିବାବେଳେ ନକଲି ମଦ ତିଆରି କରି ବିକ୍ରୀ କରିବା, ଗାଁ ଗାଁ କୁ ବିହାରୀ ଯୁବକ ମାନଙ୍କୁ ନିୟୋଜିତ କରି ଯୋଗାଇବା ଓ ସରକାରୀ ନିର୍ଦ୍ଧାରିତ ମୂଲ୍ୟରୁ ମନଇଚ୍ଛା ଦରରେ ବିଦେଶୀ ମଦ ବିକ୍ରି ଘଟଣା ଅବକାରୀ ବିଭାଗର ଅସହାୟତାକୁ ସ୍ପଷ୍ଟ କରୁଛି।କଳାହାଣ୍ଡି ଅବକାରୀ ବିଭାଗ ଓ ପୋଲିସ ପ୍ରଶାସନର ମିଳିତ ଛତ୍ର ଛାୟାରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।  କଳାହାଣ୍ଡି ଜିଲ୍ଲା ରେ ୩୪ ଟି ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ୨୨ ଟି ଠିପି ଖୋଲା ବାର ରହିଥିବା ରହିଛି ।ଜିଲ୍ଲାର ୧୩ ଟି ବ୍ଲକ,୩ ଟି ଏନଏସି ଓ ଭବାନୀପାଟଣା ମୁନିସିପାଲିଟିରେ ଏହି ସବୁ ଦୋକାନ ଓ ବାର ଗୁଡିକ ରହିଥିବାବେଳେ ଏହାର ପରିଚାଳନା ପାଇଁ ସ୍ୱତନ୍ତ୍ର ସରକାରୀ ନିୟମ ମଧ୍ୟ ରହିଛି। ୩୪ଟି ଠିପିବନ୍ଦ ଖୁଚୁରା ମଦ ଦୋକାନ ଗୁଡିକ ସରକାରୀ ନିୟମାବଳୀକୁ ଫୁ କରି ସରକାର ଓ ଗ୍ରାହକଙ୍କୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଲୁଟୁଥିବା ନେଇ ଅଭିଯୋଗ ହେଉଛି।ଜିଲ୍ଲାରଏହି ୩୪ଟି ଠିପିବନ୍ଦ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି।ପ୍ରତିଦିନ ଅଭ୍ୟାସଗତ ଭାବେ କ୍ରୟ କରୁଥିବା ଗ୍ରାହକ ମାନେ ନିଜ ନାମ ଗୁପ୍ତ ରଖି ମଦର ସ୍ୱାଦ ଓ ଗୁଣବତ୍ତାରେ ତାଳମେଳ ରହୁ ନ ଥିବା ନେଇ ନକଲି ମଦ ବିକ୍ରୟ ହେଉଥିବା ନେଇ ଅଭିଯୋଗ କରିଛନ୍ତି।ଅନ୍ୟପକ୍ଷରେ ପ୍ରତ୍ୟେକ ବ୍ରାଣ୍ଡର ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ମଧ୍ୟ ହେଉଛି।ଅବକାରୀ ନିୟମ ଅନୁଯାୟୀ ପ୍ରତ୍ୟେକ ଲିଜ ଅଧିକୃତ ମଦ ବେପାରୀ ବୋତଲରେ ଲିପିବଦ୍ଧ ଥିବା ସର୍ବାଧିକ ବିକ୍ରୟ ମୂଲ୍ୟରେ ମଦ ବିକ୍ରୟ କରିବା ସହିତ ପ୍ରତ୍ୟେକ ବିକ୍ରୟରେ ଗ୍ରାହକଙ୍କୁ ନିର୍ଦ୍ଧାରିତ ମୂଲ୍ୟର ଜିଏସଟି ବିଲ ଦେବାର ପ୍ରାବଧାନ ରହିଛି।ଏହା ସହିତ ପ୍ରତ୍ୟେକ ବ୍ରାଣ୍ଡର ସାଇଜ ଅନୁଯାୟୀ ଏହାର ଦର ତାଲିକାକୁ ସାର୍ବଜନୀନ କରିବାକୁ ଯାଇ ଗ୍ରାହକମାନଙ୍କୁ ଦେଖାଯିବା ଭଳି ସ୍ଥାନରେ ଲିଷ୍ଟ ଲଗାଇବାକୁ ନିୟମ ରହିଛି।ଲିଜ ଅଧିକୃତ ବିକ୍ରେତା କେବଳ ଗ୍ରାହକଙ୍କୁ ସିଧାସଳଖ ବିଭିନ୍ନ ବ୍ରାଣ୍ଡର ବିଭିନ୍ନ ସାଇଜର ମଦ ବିକ୍ରୟ ସମୟରେ ଜିଏସଟି ବିଲ ଦେଇ ବିକ୍ରୟ କରିବାର ପ୍ରାବଧାନ ରହିଥିବାବେଳେ ବିହାରୀ ସେଲସ ମ୍ୟାନ ମାନେ ସରକାରୀ ନିୟମାବଳୀକୁ ଖୁଲମ ଖୁଲା ଉଲ୍ଲଂଘନ କରି ଲାଇସେନ୍ସ ପ୍ରାପ୍ତ ଦୋକାନରୁ ସେହି ଅବକାରୀ ନିରୀକ୍ଷକ ଅଧୀନରେ ଥିବା ବିଭିନ୍ନ ଗ୍ରାମାଞ୍ଚଳର ପାନ ଦୋକାନ, କୁଚିଆ ବିକ୍ରେତା ତଥା କିରାନା ଦୋକାନମାନଙ୍କୁ ଲକ୍ଷାଧିକ ଟଙ୍କାର ବେଆଇନ ବିଦେଶୀମଦ ଚୋରା ଚାଲାଣ କରୁଥିବା ଦେଖିବାକୁ ମିଳୁଛି।ପ୍ରତ୍ୟେକ ବ୍ରାଣ୍ଡର କ୍ବାଟର,ହାଫ ଓ ଫୁଲ ସାଇଜର ଲିକର ଓ ବୀୟରରେ ନିର୍ଦ୍ଧାରିତ ଥିବା ସର୍ବାଧିକ ବିକ୍ରୟ ମୂଲ୍ୟ ଠାରୁ ୩୦ ଟଙ୍କାରୁ ୬୦ ଟଙ୍କା ପର୍ଯ୍ୟନ୍ତ ମାତ୍ରାଧିକ ଦରରେ ବିକ୍ରୟ ହେଉଥିବା ଅଭିଯୋଗ ହେଉଛି।ଗ୍ରାହକ ମଦ କିଣିଲା ପରେ ଦୋକାନୀ ବିଲ ଦେବାର ନିୟମ ଥିବାବେଳେ ଗ୍ରାହକ ବିଲ କିମ୍ବା ନିର୍ଦ୍ଧାରିତ ବିକ୍ରିୟ ମୂଲ୍ୟରେ ମଦ ବିକ୍ରି କରିବାକୁ କହିଲେ ବିହାରୀ ଗୁଣ୍ଡାମାନେ ଉତ୍ତେଜିତ ହୋଇ ଗ୍ରାହକଙ୍କୁ ଆଶାଳୀନ ବ୍ୟବହାର ଦେଇ ଏପରିକି ମାରପିଟ କରୁଥିବା ଅଭିଯୋଗ ହେଉଛି।ପ୍ରତ୍ୟେକ ବ୍ରାଣ୍ଡର ନିର୍ଦ୍ଧାରିତ ଦର ତାଲିକା ଗ୍ରାହକଙ୍କ ଦୃଷ୍ଟି ଗୋଚର ହେବାଭଳି ସ୍ଥାନରେ ଲଗାଇବା ପରିବର୍ତ୍ତେ ଦର ତାଲିକା କୌଣସି ଦୋକାନରେ ଲଗାଉ ନ ଥିବା ଅଭିଯୋଗ ହେଉଛି।ଏଭଳି ସ୍ଥିତିରେ ଗ୍ରାହକ ବିହାରୀ ଗୁଣ୍ଡାଙ୍କ ପାଇଁ ଯେତିକି ହଇରାଣ ହେଉଛନ୍ତି ସେତିକ ଆର୍ଥିକ ସ୍ତରରେ ମଧ୍ୟ ଶୋଷଣର ଶିକାର ହେଉଛନ୍ତି।ଗ୍ରାହକଙ୍କୁ ଜିଏସଟି ବିଲ ନ ଦେବା ଓ ଗ୍ରାମାଞ୍ଚଳ ତଥା ବିଭିନ୍ନ ଜାଗାକୁ ଲକ୍ଷାଧିକ ଟଙ୍କାର ଖୁଚୁରା ଚୋରା ବିକ୍ରେତାଙ୍କୁ ମଦ ଓ ବୀୟର ଯୋଗାଇବା ଯୋଗୁଁ ଜିଲ୍ଲାରୁ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଥିବା ଅଭିଯୋଗ ହେଉଛି।ଏହି ବେଆଇନ ମଦ ବ୍ୟବସାୟର ସିଂହ ଭାଗ ବିହାରୀ ସେଲସ ମ୍ୟାନ ଠୁ ଆରମ୍ଭ କରି ସ୍ଥାନୀୟ କୁଜି ନେତା ଓ ଅବକାରୀ ନିରୀକ୍ଷକଙ୍କ ମଧ୍ୟରେ ଭାଗବଣ୍ଟା ହେଉଥିବା କଥା ଚର୍ଚ୍ଚା ହେଉଥିବାବେଳେ ଅବକାରୀ ବିଭାଗର ଅସହାୟତା ଯୋଗୁଁ ବିହାରୀ ଗୁଣ୍ଡାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି ବୋଲି ମତ ପ୍ରକାଶ ପାଉଛି।ବିହାରୀ ମଦ ମାଫିଆମାନେ ଜିଲ୍ଲା ଅବକାରୀ ବିଭାଗକୁ ବେଆଇନ ମଦ ବିକ୍ରୟର କିଛି ଲାଭାଂଶ ଫୋପାଡ଼ି ଅଧିକାରୀମାନଙ୍କୁ ପକେଟରେ ପୁରାଇ ନିଜ କଳାସାମ୍ରାଜ୍ୟ ବିସ୍ତାର କରିଚାଲିଥିବା ବେଳେ ନକଲି ମଦ ଯୋଗୁଁ ନିଶାଡୀ ମାନେ ସ୍ବାସ୍ଥ୍ୟଗତ ସମସ୍ୟା ଭୋଗୁଥିବା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଉଛି।ଏନେଇ ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ ଏପର୍ଯ୍ୟନ୍ତ ଏବିଷୟରେ କୋୖଣସି ଲିଖିତ ଅଭିଯୋଗ ହସ୍ତଗତ ହୋଇନାହିଁ।ଲିଖିତ ଅଭିଯୋଗ ହସ୍ତଗତ ହେଲା ପରେ ଘଟଣାର ଉପଯୁକ୍ତ ତଦନ୍ତ ପରେ ନିଶ୍ଚିତ ଭାବରେ ସମ୍ପୃକ୍ତ ବ୍ୟବସାୟୀ ତଥା ସେଲସ ମ୍ୟାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଏହାଛଡା ଅବକାରୀ ଓ ପୁଲିସ ବିଭାଗ ରେ ସମ୍ୱନୟ ର ଅଭାବ ଓ କର୍ମଚାରୀ ଅଭାବ ଯୋଗୁଁ ମଧ୍ୟ ଚୋରା ମଦକାରବାର ବୃଦ୍ଧି ପାଉଥିବା ବେଳେ ବିହାରରେ ରେ ମଦ ବନ୍ଦ ଥିବା ଯୋଗୁଁ ଏହି ମଦ ବ୍ୟବସାୟ ବିହାର ପର୍ଯ୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି ।