୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣଙ୍କ ମୃତ୍ୟୁ ପରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

0 minutes, 0 seconds Read

କଳାହାଣ୍ଡି: ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତାରେ ଥିବା ମାୟାବର୍ହା ଛକ ଠାରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାର ଅଟିକିବା ପରେ ଏଥିରେ ଯାଉଥିବା ଜଣେ ବ୍ୟକ୍ତି ଫୋନ୍‌ରେ କଥା ହେଉଥିବା ବେଳେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ମୃତ୍ୟୁ ହେବା ଘଟଣାରେ ପରିବାର ଲୋକେ ରାସ୍ତା ଅବରୋଧ କରିଛନ୍ତି। କିନ୍ତୁ ପ୍ରଶାସନର ପ୍ରତିଶ୍ରୁତି ପାଇବା ପରେ ଦୀର୍ଘ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟି ଥବା ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପାଟଣାଗଡ଼ ବ୍ଲକ ଭାଲୁଜୁରୀ ଗ୍ରାମର ଖୁସିରାମ ମହାନନ୍ଦଙ୍କ ଝିଅର ଦେହ ଖରାପ ହେବାରୁ ନିଜ କାର (ଓଡି ୨୭ ୯୫୯୫) ଯୋଗେ ନିକଟସ୍ଥ ଚୁଡାପାଲି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଉଥିଲେ। ହେଲେ ମାୟାବର୍ହା ଛକ ଠାରେ ଯାନ୍ତ୍ରିକ ତ୍ରୁଟି ହେତୁ ଗାଡ଼ି ଅଟକି ଯାଇଥିଲା। ଏହା ପରେ ସେ ଗ୍ରାମର ପେଟୁ ଜାଲଙ୍କୁ ଫୋନ କରି ଚୁଡାପାଲି ଆସିବା ପାଇଁ ଡାକିଥିଲେ। ଫୋନ ପାଇ ମାୟାବର୍ହା ଛକ ଠାରେ ପେଟୁ ପହଞ୍ଚିଥିଲେ। ପରେ ଖୁସିରାମ ଫୋନ ଯୋଗେ ଡାକ୍ତରଙ୍କ ସହ କଥା ହେଉଥିଲେ। ଏହି ସମୟରେ ପାଟଣାଗଡ଼ ପଟରୁ ବଲାଙ୍ଗୀର ଅଭିମୁଖେ ଏକ ୧୦୮ ଆମ୍ବୁଲାନ୍ସ ( ଓଡି୦୫ ଏପି ୫୦୧୧) ଦ୍ରୁତଗତିରେ ଆସି ଖୁସି ରାମଙ୍କୁ ଧକ୍କା ଦେଇଥିଲା। ଫଳରେ ଖୁସିରାମ ଗୁରୁତର ହୋଇ ପଡିଥିଲେ। ଏହା ଦେଖି ଆମ୍ବୁଲାନ୍ସ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିଥିଲା। ଗୁରୁତର ଅବସ୍ଥାରେ ସେଠାରୁ ଖୁସିଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତଖନାକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଶୁକ୍ରବାର ସକାଳୁ ଖୁସିରାମଙ୍କ ପତ୍ନୀ, ସନ୍ତାନ, ପରିବାରବର୍ଗ ଓ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ପାଟଣାଗଡ଼-ବଲାଙ୍ଗୀର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଦୀର୍ଘ ସମୟ ଧରି ପ୍ରଚଣ୍ଡ ତାତିରେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ସମସ୍ତ ଗାଡି ମଟର ବନ୍ଦ ରହିଥିଲା। ଘଟଣା ସ୍ଥଳରେ ପ୍ରଥମେ ପାଟଣାଗଡ଼ ଥାନାଧିକାରୀ ଅନନ୍ତ ପଧାନ ଓ ଅତିରିକ୍ତ ତହସିଲଦାର ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରି ବିଫଳ ହୋଇଥିଲେ। ପରେ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ମଧ୍ୟ ପହଞ୍ଚି ବୁଝାସୁଝା କରିଥିଲେ। ପରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ପହଞ୍ଚି ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ସହ ସେମାନଙ୍କ ଦାବି ସମ୍ପର୍କରେ ନିର୍ଭର ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୫ ଘଣ୍ଟା ପରେ ରାସ୍ତା ଅବରୋଧ ହଟି ଥିବା ଜଣାପଡିଛି। ଅପର ପକ୍ଷରେ ଘଟଣା ସମ୍ପର୍କରେ ପୁଲିସ ଏକ ମାମଲା ରୁଜୁ କରି ଆମ୍ବୁଲାନ୍ସ ଡ୍ରାଇଭରକୁ ଗିରଫ କରିଥିବା ନେଇ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ଦେଇଛନ୍ତି।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts