କଟକ:ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ସରକାରଙ୍କର ନିର୍ଦ୍ଦିଷ୍ଟ ଯୋଜନା ନାହିଁ। ଏ ସଂକ୍ରାନ୍ତରେ ସରକାରଙ୍କ ଦ୍ବାରା ଦାଖଲ ସତ୍ୟପାଠ ଉପରେ ଅସନ୍ତୋଷ ପ୍ରକାଶ କରି ଏଭଳି ମନ୍ତବ୍ୟ ଦେବାସହିତ ତୁରନ୍ତ ଏ ଦିଗରେ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ସରକାରୀ ଡାକ୍ତରଖାନା ପରିସରକୁ ଦଲାଲମୁକ୍ତ କରିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ସରକାରୀ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ଓ କର୍ମଚାରୀ ନାହାନ୍ତି। ଡାକ୍ତର ଓ ଅନ୍ୟ କର୍ମଚାରୀ କାର୍ଯ୍ୟ ସମୟରେ ଅନୁପସ୍ଥିତ ରହୁଛନ୍ତି। ଅଧିକାଂଶ ସିଏଚ୍ସି ଓ ପିଏଚ୍ସିରେ ସାଧାରଣ ପରୀକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ନାହିଁ। ସରକାରୀ ଡାକ୍ତରଖାନା ପରିସରରେ ଦଲାଲମାନେ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବା ପାଇଁ ଘରୋଇ ଡାକ୍ତରଖାନାରେ ଭର୍ତ୍ତିହେବାକୁ ପ୍ରବର୍ତ୍ତାଉଥିବା ଅଭିଯୋଗ ନେଇ ମାମଲାରେ ହାଇକୋର୍ଟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ସରକାରଙ୍କ ତରଫରୁ ଏ ସଂପର୍କିତ ଜନସ୍ବାର୍ଥ ମାମଲାରେ ପୂର୍ବରୁ ଦାଖଲ କରାଯାଇଥିବା ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଜୁନ୍ ୨୭ ସୁଦ୍ଧା ରାଜ୍ୟ ସରକାର ଏ ସଂପର୍କିତ ଅତିରିକ୍ତ ସତ୍ୟପାଠ ଦାଖଲ କରିବେ। ଆବେଦନକାରୀ ଚାହିଁଲେ ଏହାଉପରେ ଅତିରିକ୍ତ ସତ୍ୟପାଠ ଦାଖଲ କରିପାରିବେ ବୋଲି ହାଇକୋର୍ଟ କହିବା ସହିତ ଜୁଲାଇ ୨୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
Latest entries
ଜିଲ୍ଲା ଖବରApril 6, 2026ଓଡ଼ିଆ ପକ୍ଷ ପାଳନ ଅବସରରେ ଏୈତିହ ଗଣଦୌଡ
ଜିଲ୍ଲା ଖବରApril 6, 2026କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର
ଜିଲ୍ଲା ଖବରApril 5, 2026ଓଡ଼ିଆ ନାମ ଫଳକ ଅଭିଯାନ ଓ ସଚେତନତା ପଦଯାତ୍ରା
ଜିଲ୍ଲା ଖବରApril 3, 2026କଳାହାଣ୍ଡି ଓକିଲ ସଙ୍ଘ ର ନବ ନିର୍ବାଚିତ କର୍ମକର୍ତା ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

