ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସହରରେ ଥିବା ଦୁଇଶହ ବର୍ଷର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ବାଲାଜୀ ମନ୍ଦିର ସାମନାରେ ରଥ ଖଳା ଉପରେ ଅବୈଧ ଭାବରେ ପୌରପାଳିକା ପକ୍ଷରୁ ଜୋର୍ ଜବରଦସ୍ତି ଡ୍ରେନ ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ବନ୍ଦ ନକଲେ ବାଲାଜୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ମନ୍ଦିର ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବାଲାଜୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି।
ରାଜ୍ୟ ସରକାର ଶ୍ରୀକ୍ଷେତ୍ର ପୁରୀ ରେ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ରେ କୋଟି କୋଟି ଟଙ୍କା ବିନିଯୋଗ କରି ଜଗନ୍ନାଥ ମନ୍ଦିରର ସୋନ୍ଦର୍ଯ୍ୟକରଣ କରିବା ସହ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟର ଶତାଧିକ ଜଗନ୍ନାଥ ମନ୍ଦିରକୁ ସୋନ୍ଦର୍ଯ୍ୟକରଣ ପାଇଁ ଅନୁଦାନ ଯୋଗାଇ ଦେଉଛନ୍ତି। ଏପରିକି ବାଲାଜୀ ମନ୍ଦିରର ପୁନରୁଦ୍ଧାର ପାଇଁ ୨୦ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି ଓ ଏହି ଅର୍ଥରେ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଐତିହ୍ୟ ସମ୍ପନ୍ନ ଏହି ମନ୍ଦିରର ସାମନାରେ ରଥ ଖଳାରେ ଭବାନୀପାଟଣା ପୌରପାଳିକା ପକ୍ଷରୁ ଅବୈଧ ଭାବରେ ଡ୍ରେନ ନିର୍ମାଣ କରିବା ଅତି ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ ଅବିବେକୀ କାର୍ଯ୍ୟ ବୋଲି ବାଲାଜୀ ମନ୍ଦିର ସୁରକ୍ଷା ସମିତିର ସଭାପତି ଜଗଦୀଶ ମଣ୍ଡଳ କହିଛନ୍ତି। ଏହି ମନ୍ଦିରଟି ଦେବୋତ୍ତର ବିଭାଗ ର ମନ୍ଦିର। ମନ୍ଦିର ଜାଗାରେ ପୌରପାଳିକା ଜବରଦସ୍ତି ଅବୈଧ ଡ୍ରେନ ନିର୍ମାଣ କରୁଛି, ଏଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସହକାରୀ ଦେବୋତ୍ତର କମିଶନର ପୌର ନିର୍ବାହୀ ଅଧିକାରୀଙ୍କୁ ପତ୍ର ଦେଇଥିଲେ ହେଁ ପୌରପାଳିକା ପକ୍ଷରୁ ଅବୈଧ ଡ୍ରେନ ନିର୍ମାଣ କାର୍ଯ୍ୟ ଚାଲିଛି। ମନ୍ଦିର ସାମନାରେ ଡ୍ରେନ ନିର୍ମାଣ ହେଲେ ରଥଯାତ୍ରା, ରଥ ନିର୍ମାଣ, ଅଷ୍ଟ ପ୍ରହରୀ ସମେତ ବର୍ଷ ତମାମ ମନ୍ଦିରରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ଧର୍ମୀୟ ଓ ସାମାଜିକ ଅନୁଷ୍ଠାନରେ ଅନେକ ସମସ୍ୟା ଉପୁଜିବ। ଏଣୁ ପୌର ପାଳିକା ଏହି ଅବୈଧ ଡ୍ରେନ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରି ଡ୍ରେନ ନିମନ୍ତେ ବିକଳ୍ପ ବ୍ୟବସ୍ଥା କରିବାକୁ ବାଲାଜୀ ମନ୍ଦିର ସୁରକ୍ଷା ସମିତି ଦାବି କରୁଅଛି। ନଚେତ୍ ବାଲାଜୀ ମନ୍ଦିର ସୁରକ୍ଷା ସମିତି ପକ୍ଷରୁ ପୌର କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ଅନଶନ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି। ଏହି ଖବରଦାତା ସମ୍ମିଳନୀରେ ବାଲାଜୀ ମନ୍ଦିର ସୁରକ୍ଷା ସମିତିର ଉପସଭାପତି ଅର୍ଜୁନ ଧଙ୍ଗଡାମାଝୀ, ସାଧାରଣ ସମ୍ପାଦକ ଗଜେନ୍ଦ୍ର ପ୍ରସାଦ ପାଢ଼ୀ ସମେତ ଶତାଧିକ ସହରବାସୀ ଉପସ୍ଥିତ ଥିଲେ। ସେହିପରି ପୌରପାଳିକାର ଏହି ଆବିବେକୀ ନିର୍ମାଣ କାର୍ଯ୍ୟକୁ ସହରବାସୀ ନିନ୍ଦା କରିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

