ନ୍ୟୁଜଗ୍ୟାଲେରି,ପୁରୀ/ଭୁବନେଶ୍ବର: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ଦାସ କହିଛନ୍ତି, ଓଡ଼ିଶା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଭୂମି। ମୁଁ ଭାଗ୍ୟବାନ ଯେ ମୋତେ ଜଗତର ପିତା ଶ୍ରୀଜଗନ୍ନାଥଙ୍କ ପବିତ୍ର ମାଟି ଓଡ଼ିଶାରେ ଲୋକଙ୍କ ସେବା କରିବାର ସୌଭାଗ୍ୟ ମିଳିଛି। ଶ୍ରୀଜଗନ୍ନାଥ ଗରିବଙ୍କ ଦେବତା। ଏତିକି ମାଗିଛି, ଓଡ଼ିଶାରେ ଯେଉଁ ଗରିବ, ଶୋଷିତ, ନିଷ୍ପେସିତ ପରିବାର ଅଛନ୍ତି, ସେମାନଙ୍କ ଉନ୍ନତି ହେଉ। ମହାପ୍ରଭୁ ସେମାନଙ୍କ ଜୀବନରେ ସୁଖଶାନ୍ତି ଭରି ଦିଅନ୍ତୁ, କୃପା ବର୍ଷା କରନ୍ତୁ।ଶ୍ରୀ ଦାସ କହିଛନ୍ତି, ଭାରତ ଏକ ଆଧ୍ୟାତ୍ମିକ ଦେଶ, ଦେଶ ଭିତରେ ଓଡ଼ିଶା ହେଉଛି ଏକ ଆଧ୍ୟାତ୍ମିକ ରାଜ୍ୟ। ଭାରତ ପୁଣିଥରେ ବିଶ୍ବଗୁରୁ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଧ୍ୟାତ୍ମିକ କ୍ଷେତ୍ରର ବିକାଶ କରୁଛନ୍ତି। ସନାତନ ଧର୍ମ ଯାହା ଆଦିକାଳ ଅନନ୍ତ, ତାହା ଆଜି ସାରା ବିଶ୍ବର ଆଦର୍ଶ ପାଲଟିଛି। ଓଡ଼ିଶାବାସୀଙ୍କ ବିକାଶ ମୋର ପ୍ରମୁଖ ଲକ୍ଷ୍ୟ ହେବ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ଟ୍ରେନ୍ ଦୁର୍ଘଟଣାରେ ମୃତାହତଙ୍କୁ ସମବେଦନା ଜଣାଇଛନ୍ତି। ପୁରୁଷୋତ୍ତମ ଏକ୍ସପ୍ରେସ ଯୋଗେ ଶ୍ରୀ ଦାସ ପୁରୀ ରେଳଷ୍ଟେସନ୍ରେ ପହଞ୍ଚିବା ପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡା. କେ. ବିଶାଳ ସିଂହ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଂଜିତା ପାଢ଼ୀ ଓ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ ପ୍ରମୁଖ ସ୍ବାଗତ ଜଣାଇଥିଲେ । ଏହି ଅବସରରେ ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ ଶ୍ରୀ ଦାସଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଭେଟି ଦେଇଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ପୁରୀରୁ ଶ୍ରୀ ଦାସ ସିଧା ଭୁବନେଶ୍ବର ରାଜଭବନ ଆସିଥିଲେ। ଏଠାରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଥିଲେ। ବାଚସ୍ପତି ପ୍ରମିଳା ମଲ୍ଲିକ ଓ ମୁଖ୍ୟ ଶାସନ ସଚିବ ପି କେ ଜେନା ମଧ୍ୟ ସ୍ବାଗତ କରିଥିଲେ। ସେ ଲିଙ୍ଗରାଜ ମନ୍ଦିର ଯାଇ ଦର୍ଶନ କରିବେ। ଦିନ ୧୧ଟା ୪୫ରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

