ଭବାନୀପାଟଣା ରଥଯାତ୍ରା ରେ ଭକ୍ତଙ୍କ ସମାଗମ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଶାନ୍ତି ଶୃଙ୍ଖଳା ସହ ଭବାନୀପାଟଣା ରଥଯାତ୍ରା ସମ୍ପନ୍ନ ହୋଇଛି। ରଥଯାତ୍ରାରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଗୋଟିଏ ଦିନରେ ନେତ୍ରୋତ୍ସବ, ନବ ଯୌବନ ଓ ରଥଯାତ୍ରା ପଡ଼ି ଥିବାରୁ ଦିନ ତମାମ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଅପରାହ୍ନ ପାଞ୍ଚଟା ଟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ବଳଭଦ୍ର ଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିବା ବେଳେ କଳାହାଣ୍ଡି ରାଜ ପରିବାର ତଥା ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ ଜଗନ୍ନାଥଙ୍କ ପାଟ ଦଉଡ଼ି ଧରି ପହଣ୍ଡି ବିଜେ ସେବା ସମ୍ପାଦନ କରିଥିଲେ। ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ଧାଡ଼ି ପହଣ୍ଡିରେ ମନ୍ଦିରରୁ ବାହାର କରି ରଥକୁ ତିନିଥର ପରିକ୍ରମା କରାଯିବାପରେ ରଥାରୁଢ଼ କରାଯାଇଥିଲା। ପରମ୍ପରା ଅନୁଯାୟୀ ରଥ ଉପରେ କଳାହାଣ୍ଡି ମହାରାଜ ଆଳତି ଦର୍ଶନ କରିଥିଲେ। ଏହାପରେ ରଥରୁ ଚାରମାଳ ଫିଟା ଯାଇଥିଲା ଓ ରଥରେ ଦଉଡ଼ି ବନ୍ଧା ଯାଇଥିଲା। ସନ୍ଧ୍ୟା ୫ ଟା ୪୫ ରେ ରଥ ଟଣା ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ ଟା ୪୫ ରେ ରଥ ମାଣିକେଶ୍ଵରୀ ମନ୍ଦିର ନିକଟସ୍ଥ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚିଥିଲା। କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଓ କଳାହାଣ୍ଡି ଆରକ୍ଷୀ ଅଧ୍ୟକ୍ଷକ ଅଭିଳାଷ ଜି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉପସ୍ଥିତ ରହି ଶ୍ରୁଙ୍ଖଳିତ ରଥଯାତ୍ରା ଆୟୋଜନର ତଦାରଖ କରିଥିଲେ। ଆସନ୍ତା କାଲି ଅପରାହ୍ନ ଚାରିଟା ଯାଏଁ ମାଣିକେଶ୍ଵରୀ ମନ୍ଦିର ନିକଟରେ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତି ଅବସ୍ଥାନ କରିବେ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ କରିବା ସୁଯୋଗ ମିଳିବ। ଆସନ୍ତା କାଲି ସୋମବାର ଅପରାହ୍ନ ଚାରିଟାରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଗୁଣ୍ଡିଚା ମନ୍ଦିରକୁ ନିଆଯିବ ଓ ଆଡ଼ପ ମଣ୍ଡପରେ ବିଜେ କରାଯିବ। ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଚାକ୍ଷୁଷ ଧାରା ବିବରଣୀ ଆୟୋଜନ କରାଯାଇଥିଲା। ଭାଷ୍ୟକାର ସତ୍ୟ ନାରାୟଣ ମହାପାତ୍ର, ଡକ୍ଟର ତପନ ରଥ, ସନ୍ତୋଷ ରଥ, ସ୍ନେହଲତା ଶଡଙ୍ଗି, ମିନତି ପ୍ରଧାନ ଓ ବିରଞ୍ଚି ମୁଣ୍ଡ ଧାରା ବିବରଣୀ ପ୍ରଦାନ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଧାରା ବିବରଣୀ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟଜିତ ଶ୍ରୀ ଜଗନ୍ନାଥ ଭଜନ ଧାରା କାର୍ଯ୍ୟକ୍ରମରେ ସମର୍ଥ ଦଷ୍ଟିହୀନ ସଂଘ ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା।