ନ୍ୟୁଜ ଗ୍ୟାଲେରି,କୋକସରା :କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା କର୍ଲାଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ମନଇଚ୍ଛା ଆସିବା ପ୍ରସଙ୍ଗରେ ଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ କରି ସପ୍ତାହେ ହେବାକୁ ଯାଉଥିଲେ ମଧ୍ୟ ଦୁଇ ଜଣ ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଯାହା ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ସ୍କୁଲର ଶିକ୍ଷକ ସରୋଜ ପଟେଲ ସକାଳ ୧୧ଟା ପରେ ବିଦ୍ୟାଳୟରେ ପହଞ୍ଚିଥିବା ବେଳେ ଅନ୍ୟ ଜଣେ ଶିକ୍ଷକ ବିରଞ୍ଚି ନାଏକ ବିନା କୌଣସି ପୂର୍ବ ସୂଚନା କିମ୍ବା ଛୁଟି ଆବେଦନରେ ଅନୁପସ୍ଥିତ ଥିଲେ। ଶିକ୍ଷକମାନଙ୍କ ଏଭଳି ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଅଭିଭାବକ ଏବଂ ଗ୍ରାମବାସୀ ସ୍କୁଲ ଗେଟ୍ରେ ତାଲା ପକାଇ କଡ଼ା ପ୍ରତିବାଦ କରିଥିଲେ। ଏହାପରେ ଟେମରା ସିଆରସିସି ସଞ୍ଜୟ ପୁଝାରୀ ସ୍କୁଲରେ ପହଞ୍ଚି ଅବିଭାବକ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଭାଗ ପକ୍ଷରୁ ଉଭୟ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ଏହି ଘଟଣାକୁ ସପ୍ତାହେ ହେବାକୁ ଯାଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି। ଯାହାକୁ ନେଇ ଅଭିଭାବକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ମନମାନି ନୂଆ କଥା ନୁହେଁ। ପ୍ରଶାସନ କେବଳ ନାମକୁ ମାତ୍ର କିଛି ଦିନ ପାଇଁ ଦରମା ବନ୍ଦ କରି ଦେଉଛନ୍ତି କିମ୍ବା ଅନ୍ୟ ସ୍କୁଲକୁ ବଦଳି କରି ନିଜ ଦାୟିତ୍ୱ ଏଡ଼ାଇ ଯାଉଛି। ଫଳରେ ଅଭ୍ୟାସଗତ ଅବହେଳାକାରୀ ଶିକ୍ଷକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। କିନ୍ତୁ ବର୍ତ୍ତମାନ ସଂପୃକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଜୋରଦାର ଦାବି ହୋଇଛି। ଏ ବିଷୟରେ ଟେମରା ସିଆରସିସି ସଞ୍ଜୟ ପୁଝାରୀଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ ପରେ ବିଇଓଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ବୋଲି କହିଛନ୍ତି।
Latest entries
ଜିଲ୍ଲା ଖବରJuly 27, 2026କର୍ଲାଗୁଡା ସ୍କୁଲରେ ଶିକ୍ଷକ ମନଇଚ୍ଛା ଆସିବା ପ୍ରସଙ୍ଗ ହେଉନି କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

