ରାଜ୍ୟ ଜିଲ୍ଲା ଖବର ମଦଦୋକାନୀଙ୍କ ପାଇଁ ନୂଆ ନିୟମ: ଗ୍ରାହକଙ୍କୁ ବିଲ୍ ନ ଦେଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡ By Hemant Kumar Ray November 10, 2023November 10, 2023 0 minutes, 0 seconds Read 485 ନ୍ୟୁଜଗ୍ୟାଲେରି, କଟକ: ଆଉ ମନ ଇଚ୍ଛା ଦରରେ ମଦ ଦୋକାନୀ ମଦ ବିକ୍ରି କରିପାରିବେ ନାହିଁ। ମଦ ବିକ୍ରି ସମୟରେ ଗ୍ରାହକଙ୍କୁ ମଦରେ ଥିବା ବାର୍ କୋଡ ସ୍କାନ କରି ବିଲ୍ ଦେଲେ ଯାଇ ଟଙ୍କା ନେବେ। ଯେଉଁମାନେ ଏହି ନିୟମ ଖିଲାପ କରିବେ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ। କୌଣସି ଦୋକାନ ବିରୋଧରେ ବାରମ୍ବାର ଅଭିଯୋଗ ଆସିଲେ ଦୋକାନକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯିବ। ମଦ ଦୋକାନୀଙ୍କ ଲାଇସେନ୍ସ ବି ରଦ୍ଦ କରି ଦିଆଯିବ। ଏଭଳି କଠୋର ନିୟମ ଅବକାରୀ ବିଭାଗ ଲାଗୁ କରିବାକୁ ଯାଉଛି। ଏ ସଂପର୍କରେ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବା ବେଳେ ନିର୍ଦ୍ଦେଶନାମା ଜାରି କରାଯିବ। ଅବକାରୀ ବିଭାଗର ତଥ୍ୟ ଅନୁଯାୟୀ, ରାଜ୍ୟରେ ଠିପି ବନ୍ଦ ମଦ ଦୋକାନ ୧୧ ଶହ ୬୫ଟି, ଠିପି ଖୋଲା ୭୪୩ଟି, ଦେଶୀ ମଦ ଦୋକାନ ୨୧୩ଟି, ସେନାବାହିନୀର କ୍ୟାଣ୍ଟିନ୍ରେ ୩୬ଟି ଦୋକାନକୁ ମିଶାଇ ରାଜ୍ୟରେ ମୋଟ ୨୧ଶହ ୫୬ଟି ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯାଇଛି। ୨୦୨୧ରେ ଶେଷ ଥର ଲଟେରି ବ୍ୟବସ୍ଥା ହେବା ପରେ ମଦ ଦୋକାନ ପାଇଁ ବାର୍ କୋଡ ମେସିନ୍ ରଖିବାକୁ ବାଧ୍ୟତାମୂଳକ କରାଯାଇଥିଲା। ପ୍ରତ୍ୟେକ ମଦ ବୋତଲରେ ବି ବାର୍ କୋଡ୍ ରହିଥିଲା। ବିକ୍ରି ସମୟରେ ଏହି ବାର୍ କୋଡ୍ ସ୍କାନ୍ କଲେ ମଦର ପ୍ରକୃତ ମୂଲ୍ୟ ପ୍ରିଣ୍ଟ୍ ହୋଇ ବିଲ୍ ଆକାରରେ ବାହାରିବ। ଗ୍ରାହକଙ୍କୁ ବିଲ୍ ଦେବାକୁ କୁହାଯାଇଥିଲା। କିନ୍ତୁ ଏହାକୁ ବାଧ୍ୟତାମୂଳକ କରାଯାଇ ନଥିବାରୁ ଦୁର୍ନୀତି ବଢ଼ିବାରେ ଲାଗିଲା। ଗ୍ରାହକଙ୍କ ଠାରୁ ଦୋକାନୀ ମନଇଚ୍ଛା ଟଙ୍କା ନେଉଥିବା ଅଭିଯୋଗ ଆସିଲା।କଟକ ଜିଲ୍ଲା ନିଆଳି ଥାନା ଚଉପଡ଼ାରେ ଥିବା ଏକ ଠିପି ବନ୍ଦ ମଦ ଦୋକାନୀ ଗଲା ସେପ୍ଟେମ୍ବରରେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଦରରେ ମଦ ବିକ୍ରି କରିବା ନେଇ ଜିଲ୍ଲା ଅବକାରୀ ଏସ୍ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। କଟକରେ ଦୁଇଟି ଦୋକାନ ବିରୋଧରେ ଏଭଳି ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ହେବା ପରେ ଅବକାରୀ କମିସନର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଯେଉଁ ମଦ ଦୋକାନୀ ବିଲ୍ ନଦେଇ ଏମଆରପିରୁ ଅଧିକ ମୂଲ୍ୟରେ ମଦ ବିକ୍ରି କରିବେ ସେମାନଙ୍କ ନିକଟରୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଏହି ଜରିମାନା ଅର୍ଥ ବ୍ୟବସ୍ଥା ଜିଲ୍ଲା ଅବକାରୀ ଏସ୍ପି ସ୍ଥିର କରିବେ। ଜିଲ୍ଲା ଅବକାରୀ ଏସ୍ଆଇଙ୍କଠାରୁ ଆରମ୍ଭ କରି ଡିଏସ୍ପି ପାହ୍ୟାର ଅଧିକାରୀ ଯାଏ ଏହି ଜରିମାନା ଆଦାୟ କରିବାର କ୍ଷମତା ରହିଛି। ଯେଉଁ ମଦ ଦୋକାନୀ ଗୋଟିଏ ବର୍ଷ ଭିତରେ ତିନି ଥର ଏଭଳି କରିବେ, ସମ୍ପୃକ୍ତ ଦୋକାନୀଙ୍କ ଲାଇସେନ୍ସ ବାତିଲ୍ ସହିତ ଦୋକାନକୁ ସିଲ୍ କରି ଦିଆଯିବ।ଓଡ଼ିଶା ରାଜ୍ୟ ପାନୀୟ ନିଗମ(ଓଏସବିସି) ରାଜ୍ୟରେ ୧୪୪୩ଟି ମଦର ଏମଆର୍ପି ଧାର୍ଯ୍ୟ କରିଛି। ପ୍ରତ୍ୟେକ ଲାଇସେନ୍ସପ୍ରାପ୍ତ ଦୋକାନୀଙ୍କୁ ମଧ୍ୟ ସେମାନଙ୍କ ଦୋକାନରେ ଗଚ୍ଛିତ ଥିବା ମଦ ଅନୁଯାୟୀ, ଏମଆର୍ପି ଚାର୍ଟ ଦିଆଯାଇଛି। ଏହାକୁ ଦୋକାନ ସାମ୍ନାରେ ଗ୍ରାହକଙ୍କ ଉଦ୍ଦେଶ୍ୟରେ ଲଗାଯିବ। ଏହାଦ୍ବାରା ଗ୍ରାହକ ଅଧିକ ସଚେତନ ହେବେ। ମଦ କିଣିବା ସମୟରେ ବିଲ୍ ଦେଉ ନଥିବା ଦୋକାନୀଙ୍କ ଭିଡିଓ ମୋବାଇଲରେ ରେକର୍ଡ କରି ଅବକାରୀ ଏସ୍ପି କିମ୍ବା ନିକଟସ୍ଥ ଅବକାରୀ ଷ୍ଟେସନରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ସମ୍ପୃକ୍ତ ଗ୍ରାହକଙ୍କ ପରିଚୟକୁ ଗୋପାନ ରଖାଯିବା ସହିତ ଅଭିଯୁକ୍ତ ମଦ ଦୋକାନୀଙ୍କ ବିରୋଧରେ ଅର୍ଥ ଦଣ୍ଡ ବ୍ୟବସ୍ଥା କରାଯିବାକୁ ଅବକାରୀ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି। କିନ୍ତୁ ଏଭଳି ଏମଆର୍ପି କଟକଣାରୁ ଠିପି ଖୋଲା ମଦ ଦୋକାନ ଅର୍ଥାତ ବାର୍, ରେଷ୍ଟୁରାଣ୍ଟ, ହୋଟେଲ୍, କ୍ଲବକୁ ବାଦ୍ ଦିଆଯାଇଛି। ସେମାନେ ମଦ ଖୋଲିକି ବିକ୍ରି କରୁଥିବାରୁ ଏହାର ମୂଲ୍ୟ ଉପରେ ଅବକାରୀ ବିଭାଗର କୌଣସି ପ୍ରକାର କଟକଣା ରହିବ ନାହିଁ। କିନ୍ତୁ ଏହି ଠିପି ଖୋଲା ମଦ ଦୋକାନରେ ଯଦି କେହି ଠିପି ବନ୍ଦ ମଦ ବିକ୍ରି କରିବେ, ଅର୍ଥାତ୍ ଗ୍ରାହକଙ୍କୁ ମଦ ବାହାରକୁ ନେବାକୁ ସୁଯୋଗ ଦିଅନ୍ତି, ତେବେ ସେମାନଙ୍କ ପାଇଁ ସମାନ ନିୟମ ଲାଗୁ ହେବ। Hemant Kumar Ray Editor, News Gallery Mob: 9439506580 Email: newsgallery.in@gmail.com Latest entries ଜିଲ୍ଲା ଖବରMay 28, 2026ସାମ୍ବାଦିକଙ୍କ ପିତୃ ବିୟୋଗ ଜିଲ୍ଲା ଖବରMay 15, 2026ମହାରାଜା ବ୍ରଜ ମୋହନ ଦେଓ ଙ୍କ ୧୩୦ ତମ ଜୟନ୍ତୀ ଜିଲ୍ଲା ଖବରMay 4, 2026ବିଶ୍ୱ ପ୍ରେସ ସ୍ୱାଧୀନତା ଦିବସ ପାଳିତ ଜିଲ୍ଲା ଖବରMay 3, 2026ମା ମାଣିକେଶ୍ୱରୀ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ
ରାଜ୍ୟ ଜିଲ୍ଲା ଖବର କଳାହାଣ୍ଡି ଜିଲ୍ଲା ଏମ ରାମପୁର ଅଞ୍ଚଳ ରୁ ଯୁବକ ର ଝୁଲନ୍ତା ମୃତ ଦେହ ଉଦ୍ଧାର By Hemant Kumar Ray May 3, 2023May 3, 2023