Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଇଣ୍ଡିଆନ୍ କ୍ରିଏଟିଭ ଆର୍ଟିଷ୍ଟ ନେଟୱାର୍କ ଟ୍ରଷ୍ଟ ପକ୍ଷରୁ ଶିଳ୍ପୀ ତରୁଣ ମହାପାତ୍ରଙ୍କ ଦ୍ଵାରା ନିର୍ମିତ ମହାରାଜା ବ୍ରଜମୋହନ ଦେଓ ଙ୍କ ପଟ୍ଟଚିତ୍ର ଉନ୍ମୋଚନ କରାଯାଇଥିଲା। ମହାରାଜା ଅନନ୍ତ ପ୍ରତାପ ଦେଓ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ ବ୍ରଜମୋହନ ବକ୍ତୃତା ମାଳା ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଆ ସାହିତ୍ୟକୁ କଳାହାଣ୍ଡିର ରାଜବଂଶର ଦାନ ସମ୍ପର୍କରେ ଡ଼ ଦାଶରଥି ଆଚାର୍ଯ୍ୟ ଓ ଓଡ଼ିଆ ସାହିତ୍ୟରେ କଳାହାଣ୍ଡି ନାରୀ ଲେଖିକାଙ୍କ ଭୂମିକା ସମ୍ପର୍କରେ ଅର୍ଚ୍ଚନା ମିଶ୍ର ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ। ୧୯୧୭ ରୁ ୧୯୩୯ ଯାଏଁ ୩୦ ତମ ନାଗବଂଶୀ ଶାସକ ଭାବରେ ମହାରାଜା ବ୍ରଜ ମୋହନ ଦେଓ କଳାହାଣ୍ଡିରେ ରାଜୁତି କରିଥିଲେ।
ତାଙ୍କରି ଶାସନ କାଳରେ କଳାହାଣ୍ଡି ଗଡଜାତରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଆଲୋକିକରଣ, ପାନୀୟ ଜଳ ଯୋଗାଣ ଭଳି ବିକାଶ ମୂଳକ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କଳାହାଣ୍ଡିର ମହାରାଣୀ ବିଶ୍ୱାସ କୁମାରୀ ଦେବୀ, ଆଶା କୁମାରୀ ଦେବୀ, ସୁରତରଙ୍ଗିଣୀ ଦେବୀ, ମହାରାଜ ବ୍ରଜ ମୋହନ ଦେଓ, ମଦନପୁର ରାମପୁର ରାଜା ଦୁର୍ଗା ମାଧବ ସିଂହଦେଓ, ଥୁଆମୂଳ ରାମପୁର ରାଜା ପଦ୍ମନ୍ ସିଂହ ଙ୍କ ସାହିତ୍ୟ କୃତି ଓଡ଼ିଆ ସାହିତ୍ୟ ପାଇଁ ଅନବଦ୍ୟ କୃତି। ସେହିପରି କଳାହାଣ୍ଡିର ନାରୀ ଲେଖିକା ଓ କବି ମହାରାଣୀ ବିଶ୍ୱାସ କୁମାରୀ ଦେବୀ, ସୁରତରଙ୍ଗିଣୀ ଦେଵୀ,ଯଶୋଧାରା ମିଶ୍ର, ଯାଜ୍ଞସେନୀ ସା, ଦେବହୂତି କର, ଯାଜ୍ଞସେନୀ ପଧାନ, ପଲ୍ଲିଶ୍ରୀ ପଟ୍ଟନାୟକ, ସ୍ନେହଲତା ଷଡ଼ଙ୍ଗୀ, କଳ୍ପନା ରଥ, ସୁଦେଷ୍ଣା ପଣ୍ଡା, ଦୀପ୍ତି ମୁଣ୍ଡ, ଐଶ୍ବର୍ଯ୍ୟା ପ୍ରଧାନ ପ୍ରମୁଖ ଓଡ଼ିଆ ସାହିତ୍ୟକୁ ନିଜ ଲେଖନୀ ମୁନରେ ସମୃଦ୍ଧ କରିଛନ୍ତି ବୋଲି ସମ୍ମାନିତ ବକ୍ତା ମାନେ ପ୍ରକାଶ କରିଥିଲେ। ଶିଳ୍ପୀ ରଘୁନାଥ ଠାକୁର ଆବାହନି ବଂଶୀ ବାଦନ କରିଥିଲେ ଓ ବ୍ରଜ ମୋହନ ସାହିତ୍ୟ ସମିତିର ଉପ ସଭାପତି ଭାରତ ଭୂଷଣ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ସଂଯୋଜନା କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
