ନ୍ୟୁଜଗ୍ୟାଲେରି,କଳାହାଣ୍ଡି: ଭବାନୀପାଟଣା ସହରର ଭଣ୍ଡେଶ୍ୱର ବାବା, ଭବାନୀଶଙ୍କର ବାବା, ଜଳେଶ୍ୱର ବାବା, ବାଲୁଙ୍କେଶ୍ୱର ବାବା ସମେତ ସମସ୍ତ ଶିବାଳୟରେ ଆଧ୍ୟାତ୍ମିକ ପରିବେଶରେ ଆଡ଼ମ୍ବର ସହକାରେ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଳିତ ହୋଇଛି। ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଶିବ ବିବାହ ଅନୁଷ୍ଠିତ ହୋଇଥିଲା ଏବଂ ଶୁକ୍ରବାର ଶୀତଳ ଷଷ୍ଠୀ ଯାତ୍ରାରେ ନବ ବିବାହିତ ଦେବ ଦମ୍ପତି ଦେବ ଦେବ ମହାଦେବ ଓ ମାତା ପାର୍ବତୀ ନଗର ପରିକ୍ରମା କରିଥିଲେ। ପରମ୍ପରା ଅନୁଯାୟୀ ଭଣ୍ଡେଶ୍ୱର ବାବା ଓ ଭବାନୀଶଙ୍କର ବାବାଙ୍କୁ ଏକ ସୁସଜ୍ଜିତ ବିମାନରେ ବିରାଜମାନ କରାଇ ଗୁରୁବାର ସନ୍ଧ୍ୟାରେ ବାବାଙ୍କ ବରଯାତ୍ରୀ ଭଣ୍ଡେଶ୍ୱର ମନ୍ଦିରରୁ ବାହାରି ଘଣ୍ଟ, ମାଦଲ, ନାଗରା ଓ ସଂକୀର୍ତ୍ତନ ବାଦ୍ୟର ତାଳେ ତାଳେ ରାଜ ପ୍ରାସାଦ ଅଭିମୁଖେ ବାହାରିଥିଲେ। ପରମ୍ପରା ଅନୁଯାୟୀ କଳାହାଣ୍ଡି ମହାରାଜା ମାତା ପାର୍ବତୀଙ୍କ କନ୍ୟାପକ୍ଷ ହୋଇଥାନ୍ତି। ରାଜ ପରିବାର ଦ୍ୱାରା ନିଯୁକ୍ତ ମାଣିକେଶ୍ଵରୀ ମନ୍ଦିରର ପୁରୋହିତ ରାଜାଙ୍କ ପ୍ରତିନିଧି ଭାବେ କନ୍ୟାପିତା ହିସାବରେ ରାଜପ୍ରାସାଦ ମଧ୍ୟରେ ଥିବା ସ୍ବତନ୍ତ୍ର ମଣ୍ଡପରେ ମାତା ପାର୍ବତୀଙ୍କୁ କନ୍ୟା ଦାନ କରିଥିଲେ। ଭବାନୀ ଶଙ୍କର ମନ୍ଦିର ପୂଜକ ମନୋଜ ମୁନି ଓ ସରୋଜ ମୁନି ବରକର୍ତ୍ତା ଦାୟିତ୍ଵ ସମ୍ପାଦନ କରିଥିଲେ। ବିଳମ୍ବିତ ରାତିରେ ଦେବ ବିବାହ ସମ୍ପନ୍ନ ହୋଇଥିଲା। ନବ ବିବାହିତ ଦେବ ଦମ୍ପତି ରାଜ ପ୍ରାସାଦ ପରିସରରେ ଥିବା ଗୋପୀନାଥ ମନ୍ଦିରରେ ରାତ୍ର ରହଣି କରିଥିଲେ। ଶୁକ୍ରବାର ସନ୍ଧ୍ୟାରେ ରାଜ ପ୍ରାସାଦରୁ ଉଭୟ ଦେବ ଦମ୍ପତିଙ୍କୁ ସୁସଜ୍ଜିତ ବିମାନରେ ବିରାଜମାନ କରି ସହର ପରିକ୍ରମା କରାଯାଇଥିଲା। ସେହିପରି ଜଳେଶ୍ୱର ବାବା ଙ୍କ ମନ୍ଦିରରୁ ସନ୍ଧ୍ୟାରେ ବାବାଙ୍କ ବରଯାତ୍ରୀ ବାହାରି କନ୍ୟାକର୍ତ୍ତା ହୋଇଥିବା ମନ୍ଦାର ବଗିଚା ପଡ଼ାର ପ୍ରବୀର କୁମାର ରଥଙ୍କ ଘରକୁ ଯାଇଥିଲେ। ଲୌକିକ ପରମ୍ପରାରେ ବୈଦିକ ରୀତିରେ ଦେବ ଦମ୍ପତିଙ୍କ ବିବାହ ସମ୍ପାଦନ ହୋଇଥିଲା। ବିଶ୍ୱଜିତ୍ ନେଗି ସସ୍ତ୍ରିକ୍ ଜଳେଶ୍ୱର ବାବାଙ୍କ ବରକର୍ତ୍ତା ହୋଇଥିଲେ। ବିବାହ ସମ୍ପନ୍ନ ହେବାପରେ ନବବିବାହିତ ଦେବ ଦମ୍ପତି ଶୋଭାଯାତ୍ରାରେ ଜଳେଶ୍ୱର ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥିଲେ।
Latest entries
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି
ଜିଲ୍ଲା ଖବରAugust 12, 2026ରାସ୍ତା, ନାଲ ସସମସ୍ୟା ଥିବାରୁ ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

