Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
୧୯୪୩ ମସିହାର ବଙ୍ଗଳା ଦୁର୍ଭିକ୍ଷ ସମୟରେ କଳାହାଣ୍ଡି ଗଡ଼ଜାତ ଏକ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇଥିଲା। ଆଜିବି ବଡ଼ ବାତ୍ୟା ହେଲେ କଳାହାଣ୍ଡିରୁ ପୂର୍ବାଞ୍ଚଳକୁ ଚାଉଳ ଯାଉଛି। ଆଗକୁ ବି କଳାହାଣ୍ଡିର ଚାଷୀଙ୍କ ପରିଶ୍ରମ ଫଳରେ ଆମେ ଲକ୍ଷ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଯୋଗାଇବା ପାଇଁ ସକ୍ଷମ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ପ୍ରକଳ୍ପ ଓ ରେତ ଜଳସେଚନ ପ୍ରକଳ୍ପ ଦେଇଛନ୍ତି। ୮୦ ଦଶକରୁ ପ୍ରଧାନମନ୍ତ୍ରୀ ମାନେ ଅବିଭକ୍ତ କଳାହାଣ୍ଡିର ଦାରିଦ୍ର୍ୟ ଦେଖିବା ପାଇଁ କଳାହାଣ୍ଡି ଆସୁଥିଲେ। କିନ୍ତୁ ଆଜି କଳାହାଣ୍ଡି ଜିଲ୍ଲା ‘ଭୋକର ଭୂଗୋଳ’ ରୁ ଓଡ଼ିଶାର ‘ଭାତହାଣ୍ଡି’ ହୋଇପାରିଛି ବୋଲି ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ତଥା ଯୁବ ନେତା ଅବିନାଶ ଠାକୁର କହିଛନ୍ତି । ଆସନ୍ତା ଜାନୁଆରୀ ୧୮ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଗସ୍ତ କରି ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କଳାହାଣ୍ଡି ଜିଲ୍ଲାର ଉତ୍ସବରେ ସେ ଯୋଗଦେବା ପାଇଁ ସହମତି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେବା ସହ ତାଙ୍କ ଆଗମନକୁ ସ୍ବାଗତ କରୁଛୁ। କିନ୍ତୁ କଳାହାଣ୍ଡି ଉତ୍ସବରେ ଯୋଗଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭବାନୀପାଟଣା ଓ ଧର୍ମଗଡ ସବଡିଭିଜନର ଅନ୍ତତଃ ଦୁଇଟି ଧାନ ମଣ୍ଡିକୁ ନିଜେ ଅଚାନକ ପରିଦର୍ଶନ କରି ସେଠାକାର ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଚାଲବାଜି ନକରି ମୁଖ୍ୟମନ୍ତ୍ରୀଙ୍କୁ ମଣ୍ଡି ପରିଦର୍ଶନ କରାଇବା ସହ ପ୍ରକୃତ ଚାଷୀଙ୍କ ସହ ଆଲୋଚନା କରାଇଲେ ହିଁ ଚାଷୀଙ୍କ ପ୍ରକୃତ ଦୁଃଖ ମୁଖ୍ୟମନ୍ତ୍ରୀ ବୁଝିପାରିବେ। କଳାହାଣ୍ଡିର ସାଂସ୍କୃତିକ ବୈଭବକୁ ମନେ ପକାଇବା କିମ୍ବା ଆଗକୁ ନେବା ପାଇଁ ପ୍ରଥମେ ଚାଷୀଙ୍କ ଦୁଃଖ ବୁଝିବା ନିତାନ୍ତ ଆବଶ୍ୟକ ବୋଲି ଯୁବ ନେତା ମାନେ ପ୍ରକାଶ କରିଥିଲେ। କଳାହାଣ୍ଡିର ପରମ୍ପରା, ସଂସ୍କୃତିକୁ ଆଗକୁ ନେବା ପାଇଁ କଳାହାଣ୍ଡି ଜିଲ୍ଲାର ଅନ୍ନଦାତା ତଥା ଚାଷୀ ପରିବାରର ପ୍ରମୁଖ ଭୂମିକା ରହିଛି। ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମଣ୍ଡିକୁ ଯାଇ ନିଜେ ଜମିନ ସ୍ତରର ସ୍ଥିତି ପରଖନ୍ତୁ ଏବଂ ସମାଧାନ କରନ୍ତୁ ବୋଲି ଯୁବ ବିଜେଡି ନେତାପ୍ରକାଶ କରିଛନ୍ତି । ଚାଷୀଙ୍କ ଉପାର୍ଜିତ କୁଇଣ୍ଟାଲ କୁଇଣ୍ଟାଲ ଧାନ ଖୋଲା ଆକାଶ ତଳେ ଏବେବି ପଡ଼ିରହିଛି। କାହାକୁ ଟୋକନ ମିଳିନି ତ କାହାର ପୁଣି ଟୋକନ ଲେପ୍ସ। ଟୋକନ୍ ଲେପ୍ସ ଭୟରେ ଚାଷୀ ମିଲର୍ସ ମାନଙ୍କୁ ସିଧାସଳଖ କମ୍ ରେଟରେ ଧାନ ଦେବା ଆରମ୍ଭ କଲେଣି। ଧାନର ଅଭାବୀ ବିକ୍ରି ଆହୁରି ଉତ୍କଟ ସ୍ଥିତିର ପ୍ରମାଣ ଦେଉଛି। ଅନ୍ୟପଟେ କଟନି ଛଟନୀରେ ୮କେଜି ପର୍ଯ୍ୟନ୍ତ ଧାନ କାଟୁଥିବା ବେଳେ ମାତ୍ର ୪୦୦ ଗ୍ରାମର ବସ୍ତାକୁ ୧ କେଜି ଓଜନ ପକାଯାଇ ଚାଷୀଙ୍କୁ ଲୁଟ୍ କରାଯାଉଛି।ଏଣୁ ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ ମୁଖ୍ୟମନ୍ତ୍ରୀ ଗସ୍ତ କାର୍ଯ୍ୟକ୍ରମରେ ମଣ୍ଡି ପରିଦର୍ଶନ, ଚାଷୀଙ୍କ ସହ ଆଲୋଚନା ଏବଂ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ନେଇ ଜିଲ୍ଲାର ମହୋତ୍ସବରେ ଯୋଗଦେଲେ କଳାହାଣ୍ଡିର ଚାଷୀ ମାନଙ୍କ ପ୍ରତି ନ୍ୟାୟ ହୋଇପାରିବ ବୋଲି ବିଜେଡି ନେତା ମାନେ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ପୂର୍ବତନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ତଥା ଯୁବନେତା ଅବିନାଶ ଠାକୁର, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ନିଳାମ୍ବର ସାହୁ, ଯୁବନେତା ସେନାପତି ନାଏକ, ସାମନ୍ତ ଖମାରୀ, କ୍ଷିରସିନ୍ଧୁ ନାଏକ, ଶିବା ସାହୁ, ଦିନେଶ ବଗର୍ତ୍ତି, ରାଜୀବ ଲୋଚନ ଶତପଥୀ, ମହେନ୍ଦ୍ର ରାଉତ, ନବୀନ ନାୟକ, ପିତବାସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
