Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଆସନ୍ତା ସାଧାରଣ ନିର୍ବାଚନରେ ଅନେକ ନୂଆ ଓ ଯୁବବର୍ଗର ଭୋଟର ଭୋଟ ଦେବାକୁ ଯାଉଥିବାବେଳେ ଇଭିଏମ୍ ର ବ୍ୟବହାର ଓ ଭିଭିପାଟର ବିଶ୍ବସନୀୟତା ସଂପର୍କରେ ସେମାନଙ୍କୁ ସଚେତନ କରିବା ଆବଶ୍ୟକ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ରାଜ୍ୟ ବ୍ୟାପି ଇଭିଏମ୍ ଓ ଭିଭିପାଟ ସଂପର୍କରେ ଭୋଟରଙ୍କୁ ସଚେତନ କରିବାକୁ ଏକ ଅଭିଯାନ ଆରମ୍ଭ କରାଯିବା ସହିତ ପ୍ରତି ଗାଁ, ପ୍ରତି ପଞ୍ଚାୟତକୁ ଇଭିଏମ୍ ସଚେତନତା ରଥ ବୁଲିବାକୁ ଧାର୍ଯ୍ୟ କରାଯାଇଛି। ଏଇକ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଯୋଗଦେଇ ଇଭିଏମ୍ ଓ ଭିଭିପାଟ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏଇ ଅବସରରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ତ୍ରିଲୋଚନ ପାତ୍ର, ଧର୍ମଗଡ଼ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ନିର୍ବାଚନ ଶାଖା ଦାୟିତ୍ବରେ ଥିବା ଡେପୁଟି କଲେକ୍ଟର ରମେଶ ପଣ୍ଡା, ଆସିଷ୍ଟାଣ୍ଟ କଲେକ୍ଟର ମମତା ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏଇ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଇ ଭି ଏମ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ର ଜିଲ୍ଲାପାଳ ଉଦ୍ଘାଟନ କରିଥିଲେ । ସେଭଳି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗୋଟିଏ ଇଭିଏମ୍ ଓ ଭିଭିପାଟ ପ୍ରଦର୍ଶନ କେନ୍ଦ୍ରକୁ ଅତିରିକ୍ତ ଉପ ଜିଲ୍ଲାପାଳ ଜୟଦେବ ଦାସ ଙ୍କ ଉପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଉଦଘାଟନ କରିଥିଲେ। ସେହିପରି ଆଜିଠାରୁ ଆସନ୍ତା ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ୧୩ଗୋଟି ବ୍ଲକର ସମସ୍ତ ପଞ୍ଚାୟତ, ଜୁନାଗଡ଼, କେସିଙ୍ଗା, ଧର୍ମଗଡ଼ ଏନ୍ଏସି ତଥା ଭବାନୀପାଟଣା ପୌରାଞ୍ଚଳରେ ୧ ଗୋଟି ଇଭିଏମ୍ ଓ ଭିଭିପାଟ ସଚେତନତା ରଥ ପରିକ୍ରମା କରିବା ସହିତ ଲୋକଙ୍କୁ ଇଭିଏମ୍ ରେ ଭୋଟଦାନ ଓ ଭିଭିପାଟର ବିଶ୍ବସନୀୟତା ସଂପର୍କରେ ସଚେତନ କରାଇବ ।
Editor, News Gallery Mob: 9439506580 Email: newsgallery.in@gmail.com
