Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ତେବେ ଜିଲ୍ଲାର ଏହି ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଛି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ । ଏପରିକି ଲୋକଙ୍କ ଦ୍ୱାରା, ଲୋକଙ୍କ ପାଇଁ ଆୟୋଜିତ ହେଉଥିବା ଏହି ଉତ୍ସବକୁ ସର୍ବାଦୌ ସଫଳ କରିବାକୁ ଲୋକଙ୍କ ସହଯୋଗ ଲୋଡିଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ଆଜି ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ପୁଲିସ ବିଭାଗର ଉଚ୍ଚ ଅଧିକାରୀ, ବିଭିନ୍ନ ଉପକମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟ ଉପସ୍ଥିତ ରହି ନିଜର ପ୍ରସ୍ତୁତି ଓ ଆସନ୍ତା ଚାରିଦିନର ରୂପରେଖ ସମ୍ପର୍କରେ ଗଣମାଧ୍ୟମକୁ ଅବଗତ କରାଇଥିଲେ । ଏଥର କଳାହାଣ୍ଡି ଉତ୍ସବର ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଅନେକ ଗଠନମୂଳକ ପଦକ୍ଷେପ ନେଇଥିବାବେଳେ ମଙ୍ଗଳବାରରୁ ଆରମ୍ଭ ହୋଇ ଚାରିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବକୁ ସଫଳ କରିବାକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ବିଭିନ୍ନ ପୀଠରୁ ପବିତ୍ର ମଶାଲ ଆସି ଗାନ୍ଧୀଛକରେ ପହଞ୍ଚିବା ପରେ ମାଣିକେଶ୍ୱରୀଙ୍କ ମନ୍ଦିରରୁ ମୁଖ୍ୟ ମଶାଲ ସହିତ ଏହା ଉତ୍ସବସ୍ଥଳକୁ ଯିବ । ସେହିପରି ରାଜ୍ୟ ଓ ରାଜ୍ୟ ବାହାରର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ସହିତ ଖ୍ୟାତି ସଂପନ୍ନ କଳାକାରମାନଙ୍କ ଦ୍ୱାରା ଷ୍ଟାର ନାଇଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉତ୍ସବ ସ୍ଥଳ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ପରିସରରେ ୩୨୮ ଗୋଟି ସରକାରୀ, ବେସରକାରୀ ଷ୍ଟଲ ସ୍ଥାପନ କରାଯିବ। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଉତ୍ସବର ଚାରିଦିନ ଯାକ କଳାହାଣ୍ଡି ପୁଲିସର ୧୦ ପ୍ଲାଟୁନ ପୁଲିସ ଫୋର୍ସ ସୁରକ୍ଷା ଦାୟିତ୍ୱ ସମ୍ଭାଳିବେ ଓ ସେମାନଙ୍କୁ ସହଯୋଗ କରିବାକୁ ଅଗ୍ନିଶମ ବିଭାଗ, ହାଇସ୍କୁଲ ଓ କଲେଜ ସ୍ତରୀୟ ଏନସିସି କ୍ୟାଡେଟମାନେ ନିୟୋଜିତ ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ କଳାହାଣ୍ଡିର କଳା,ସଂସ୍କୃତି, ପରମ୍ପରା ଓ ଭାଇଚାରାର ଗାଥା ବଖାଣୁଥିବା କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ର ସଫଳ ଆୟୋଜନରେ ସମସ୍ତଙ୍କ ପୂର୍ଣ୍ଣ ସାହାଯ୍ୟ ଓ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ। ଏହି ଅବସରରେ କଳାହାଣ୍ଡି ଉତ୍ସବ ଘୁମୁରାର ବ୍ୟାପକ ପ୍ରସାର ପ୍ରଚାର ପାଇଁ ଏକ ନୂତନ ୱେବସାଇଟ ଉନ୍ମୋଚନ କରାଯାଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
