ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନୂଆମୁହଁ ଦେବ ବିଜେପି

ଶେରଗଡ଼ : (ନ୍ୟୁଜଗ୍ୟାଲେରି) ରାଜନୀତିରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। କାରଣ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ ବିଧାୟକ ପ୍ରାର୍ଥୀ ହୋଇ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରି ଆସୁଛନ୍ତି। ଫଳ‌ରେ ମୋଟାମୋଟି ଭାବେ କହିବାକୁ ଗଲେ, ଏହି ନିର୍ବାଚନମଣ୍ଡଳୀ ବିଜେଡିର ଅପରାଜେୟ ଗଡ଼ ଭାବେ ପରିଚିତ। ତେବେ ୨୦୧୯ ସାଧାରଣ ନିର୍ବାଚନ ସାଙ୍ଗକୁ ଗତବର୍ଷର ପୌର ଏବଂ ପଞ୍ଚାୟତ ନିର୍ବାଚନରେ ବିଜେପିର ଭୋଟ୍‌ହାର ବୃଦ୍ଧିକୁ ପାଥେୟ କରି ଆଗାମୀ ନିର୍ବାଚନପାଇଁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲଢ଼ିବାକୁ ଦଳ ନୂଆ ମୁହଁ ଖୋଜିବା ଅଭିଯାନ ଆରମ୍ଭ କରିଛି।୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପିରୁ ଦେବାନନ୍ଦ ମହାପାତ୍ର ପ୍ରାର୍ଥୀ ହେଲେ। ୨୦୧୪ରେ ମଧ୍ୟ ଶ୍ରୀ ମହାପାତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିଲା। ୨୦୧୯ରେ ବିଜେପି ରାଜ୍ୟ ଉପସଭାପତି ତଥା ହାଇକୋର୍ଟ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ନୂଆ ପ୍ରାର୍ଥୀ ହୋଇଥ‌ିଲେ। ଆଉ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ପାଇଥିବା ଭୋଟ୍‌ର ପାଖାପାଖି ୩ ଗୁଣ ଅଧିକ ଭୋଟ୍ ପାଇଥି‌ଲେ। ଫଳରେ ଦଳ ଦ୍ବିତୀୟ ସ୍ଥାନରେ ରହିଥିଲା। ବିଜେଡିରୁ ନବୀନ ପଟ୍ଟନାୟକ ୯୪୦୬୫ ଭୋଟ୍ ପାଇଥିବା ବେଳେ ବିଜେପିରୁ ପୀତାମ୍ବର ୩୩୯୦୫ ଓ କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ୭୨୬୫ ଖଣ୍ଡ ଭୋଟ୍ ପାଇଥିଲେ। ଏହାପୂର୍ବରୁ ୨୦୧୪ ନିର୍ବାଚନରେ ବିଜେଡିରୁ ନବୀନ ପଟ୍ଟନାୟକ ୮୯୨୬୭, କଂଗ୍ରେସରୁ ଶିବରାମ ପାତ୍ର ୧୨୬୮୧ ଓ ବିଜେପିରୁ ଦେବାନନ୍ଦ ମହାପାତ୍ର ୧୨୨୮୩ ଖଣ୍ଡ ଭୋଟ୍ ପାଇଥିଲେ। ଫଳରେ ଦେଖିବାକୁ ଗଲେ ବିଜେଡି ପରି ବିଜେପି ମଧ୍ୟ ୨୦୧୯ରେ ନିଜ ନିଜର ଭୋଟ୍‌ହାରକୁ ବୃଦ୍ଧି କରିବାରେ ସଫଳ ହୋଇଥିଲା।କିନ୍ତୁ ୨୦୧୯ ନିର୍ବାଚନ ପରେ ପୀତାମ୍ବର ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରେ ସକ୍ରିୟ ନାହାନ୍ତି। ତାଙ୍କ ସ୍ଥାନରେ ଶିଶିର ମିଶ୍ର ବର୍ତ୍ତମାନ ଦଳର ସଂଗଠନ ଦାୟିତ୍ବ ତୁଲାଉଛନ୍ତି। ଶିଶିରଙ୍କ ନେତୃତ୍ବରେ ଦଳ ଗତ ପୌର ନିର୍ବାଚନରେ ବିଜେଡିକୁ କଡ଼ା ଟକ୍କର୍ ଦେବାରେ ସଫଳ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଆଗାମୀ ସାଧାରଣ ନିର୍ବାଚନରେ ପୀତାମ୍ବରଙ୍କ ପରିବର୍ତ୍ତେ ନୂଆ ମୁହଁକୁ ସ‌ୁଯୋଗ ଦେବା ଲାଗି ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି। ଏପରିକି ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଦଳୀୟ ଶିବିରରୁ ସୂଚନା ମିଳିଛି।ଏପଟେ ପଞ୍ଚାୟତ ନିର୍ବାଚନ ପରେ ବିଜେଡିରେ ହୋଇଥିବା ଗୋଷ୍ଠୀକନ୍ଦଳକୁ ତୁଟାଇବା ଏବେ ଦଳୀୟ ସଂଗଠନର କାର୍ଯ୍ୟସୂଚୀରେ ଅଛି। ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୂର୍ବରୁ ଦୁଇଥର ବିଜେପିରୁ ପ୍ରାର୍ଥୀ ହୋଇଥିବା ଦେବାନନ୍ଦ ମହାପାତ୍ର ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହୋଇଥିବା ବେଳେ ତାଙ୍କ ସମର୍ଥକ ମାନେ ମଧ୍ୟ ଶାସକ ଦଳ ଶିବିରରେ ଅଛନ୍ତି। ଯାହାକି ବିଜେଡିରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଏବଂ ଭୋଟ୍ ହାର ବଢ଼ାଇବାର ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ଆଲୋଚନା ହେଉଛି।ସେପଟେ କଂଗ୍ରେସ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଥିବା ବେଳେ ଗତ ନିର୍ବାଚନରେ ପିସିସି ସମ୍ପାଦକ ଶମ୍ଭୁ ପାଣିଗ୍ରାହୀ ଏଠାରୁ ପ୍ରାର୍ଥୀ ହୋଇଥିଲେ। ସେ ନିର୍ବାଚନମଣ୍ଡଳୀରେ ବୁଲି ଜନସଂପର୍କ କାର୍ଯ୍ୟକ୍ରମ ବରାବର କରି ଆସୁଛନ୍ତି।


There is no ads to display, Please add some