କଳାହାଣ୍ଡି:ଭବାନୀପାଟଣା, କଳାହାଣ୍ଡି ପୋୖରାଅଞ୍ଚଳ ବିକାଶ, ମହିଳା ସଶକ୍ତିକରଣ ଓ ଦିନ ମଜୁରିଆଙ୍କୁ ରୋଜଗାର ଯୋଗେଇବା ପାଇଁ ମୁକ୍ତା ଯୋଜନା ବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ଆରମ୍ଭ କରାଯାଇଛି।ଏହି ଯୋଜନାରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଅନୁଦାନ ପୌରପାଳିକା ଓ ବିଜ୍ଞାପିତ ଅଂଚଳର ସାମଗ୍ରିକ ବିକାଶ ପାଇଁ ଦେଉଥିବା ବେଳେ ଭବାନୀପାଟଣା ପୌରପାଳିକାର ବେପାରୁଆ ଠିକାଦାର ପୋଷା ନୀତି ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ ଆଳରେ ଠିକାଦାର ପୋଷା ଏବେ ବାଟରୁ ଯାଇ ହାଟରେ ଗଡୁଛି।ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ନାଁରେ କୋଟି କୋଟି ଟଙ୍କାର ଅନୁଦାନ ଖର୍ଚ୍ଚ ହୋଇଥିବା ବେଳେ ଆଖିଦୃଶିଆ ନିର୍ମାଣ କାର୍ଯ୍ୟ ହୋଇ ନ ଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।ଅନ୍ୟପଟେ ଏହି ଯୋଜନା ସମ୍ପର୍କିତ ତଥ୍ୟକୁ ସୂଚନା ଅଧିକାର ଆଇନରେ ସାର୍ବଜନୀନ କରିବା ପରିବର୍ତ୍ତେ ଗୋପନୀୟତା ଓ ବ୍ୟକ୍ତିଗତ ତଥ୍ୟର ଆଳ ଦେଖାଇ ସୂଚନା ଅଧିକାର ଆଇନକୁ ବାଟବଣା କରୁଥିବାର ସଙ୍ଗିନ ଅଭିଯୋଗ ହେଉଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ,ଭବାନୀପାଟଣା ପୌରପାଳିକାର ୨୦ ଟି ୱାର୍ଡ଼ ମଧ୍ୟରେ ମୁକ୍ତା ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୨କୋଟି ୮୯ ଲକ୍ଷ ୫୬ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇଥିଲା।ଭବାନୀପାଟଣା ପୌରପାଳିକା ପକ୍ଷରୁ ୨୦ ଟି ୱାର୍ଡର ବିଭିନ୍ନ ଜାଗାରେ ୬୨୩ ଟି ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ସମୁଦାୟ ୩ କୋଟି ୨ ଲକ୍ଷ ୭୩ ହଜାର ୯୯୫ ଟଙ୍କାର ବ୍ୟୟ ଅଟକଳ କରାଯାଇଛି।ପ୍ରକଳ୍ପ ପରିଚାଳନା ଯଦି ବା ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ହେଉଥିବା କଥା ସୂଚନା ମିଳୁଥିଲେ ମଧ୍ୟ ଏଠି କୁଜି ଠିକାଦାରଙ୍କ ସିଧାସଳଖ ସମ୍ପୃକ୍ତି ଯୋଗୁଁ ଅଧାରୁ ଅଧିକ ପ୍ରକଳ୍ପ ଫେଲ ମାରିଥିବା ବେଳେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁଁ ବର୍ଷେ ନ ପୁରୁଣୁ ଭାଙ୍ଗିରୁଜି ପଡିଥିବା ଦେଖିବାକୁ ମିଳୁଛି।
ବର୍ଷା ଜଳ ଅମଳ ପ୍ରକଳ୍ପ ନିର୍ମାଣରେ ଜାଗା ଚିହ୍ନଟରେ ଅବ୍ୟବସ୍ଥା,ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅଭାବ ଓ ପୌରପାଳିକାର ଦୂରଦୃଷ୍ଟିଅଭାବ,କାର୍ଯ୍ୟପରିଚାଳନାରେ ଅନୁଭୁତିର ଅଭାବ ଓ ବେପାରୁଆ ପ୍ରଶାସନ ଓ ଲାଭଖୋରି ଠିକା ସଂସ୍ଥାର ଅପୂର୍ବ ମିଳନ ଯୋଗୁଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ଠିକାଦାର ପୋଷା ଯୋଜନାରେ ପରିଣତ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।କୋଟି କୋଟି ଅନୁଦାନ କୁ ଧୂଳି ମାଟି ଭଳି ଖର୍ଚ୍ଚ କରିଥିବା ବେଳେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ କାର୍ଯ୍ୟାଳୟ ଗୋପନୀୟତା ଓ ତୃତୀୟ ପକ୍ଷର ବ୍ୟକ୍ତିଗତ ତଥ୍ୟ କହି ସୂଚନା ଅଧିକାର କର୍ମୀଙ୍କୁ ଭୁଆଁ ବୁଲାଉଥିବାର ସଙ୍ଗିନ ଅଭିଯୋଗ ହେଉଛି।ଏଥିରୁ ପୌର ପ୍ରଶାସନ ପକ୍ଷରୁ ମୋ ସରକାରର ମୁଖବନ୍ଧ ଓ ଫାଇଭ ଟି କୁ କେତେ ମାତ୍ରାରେ ଗୁରୁତ୍ୱ ଦେଉଛନ୍ତି ଏଥିରୁ ସ୍ପଷ୍ଟ ଅନୁମେୟ କରିହେଉଛି ବୋଲି ସୂଚନା ଅଧିକାର କର୍ମୀମାନେ ପ୍ରକାଶ କରିଛନ୍ତି।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

