ନ୍ୟୁଜଗ୍ୟାଲେରି, ଭବାନୀପାଟଣା:(ସତ୍ୟନାରାୟଣ ମହାପାତ୍ର) ପ୍ରତିବର୍ଷ ନଭେମ୍ବର ପହିଲା କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି। ତେବେ ଜିଲ୍ଲା ଗଠନ ଦିବସ କଳାହାଣ୍ଡି ଅସ୍ମିତାର ପରିଚାୟକ ତେଣୁ ପ୍ରତି ସ୍ତରରେ ଜିଲ୍ଲା ସାରା ପାଳନ କରାଯାଉ ଓ ଏଥିରେ କଳାହାଣ୍ଡିଆ ଜିଲ୍ଲାର ସମସ୍ତ ସଂଗଠନ, ସାଂସ୍କୃତିକ ସଂଗଠନ, ରାଜନୈତିକ ସଂଗଠନ ସାମିଲ ହୋଇ ନିଜ ନିଜ ସ୍ତରରେ ଉତ୍ସବ ଆୟୋଜନ କରିବାକୁ ଆଜି ସ୍ଥାନୀୟ ଅମଲା ଭବନ ଠାରେ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଆୟୋଜତ ବୈଠକରେ ବକ୍ତା ମାନେ ମତ ପ୍ରକାଶ କରିଛନ୍ତି।
କଳାହାଣ୍ଡି ବରିଷ୍ଠ ନାଗରିକ ସଂଘ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢୀ ଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ବରିଷ୍ଠ ଓକିଲ ଜଗନ୍ନାଥ ମୁଣ୍ଡ, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ଶରତ ଚନ୍ଦ୍ର ନାଏକ, କଳାହାଣ୍ଡି ଓକିଲ ସଂଘ ସଭାପତି ସୁଧାଂଶୁ କୁମାର ନନ୍ଦ, ଶିକ୍ଷାବିତ ସିମଞ୍ଚଳ ମିଶ୍ର, ସାମ୍ବାଦିକ ରାଜ କୁମାର ସିଂହଦେଓ ମଞ୍ଚାସିନ ଥିଲେ। ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା,ବିଶ୍ବହିନ୍ଦୁ ପରିଷଦର ଶାନ୍ତନୁ କୁମାର ମୁଣ୍ଡ, ଡ଼ ଉମେଶ ଚନ୍ଦ୍ର ଶତପଥୀ, ଡାକ୍ତର ଭାରତ ବନ୍ଧୁ ପଣ୍ଡା, କମ୍ୟୁନିଷ୍ଟ ପାର୍ଟିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ କୁମାର ସାହୁ , ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ଅମଲା ସଂଘର ଉପଦେଷ୍ଟା ରୂପ କେଶରୀ ଦଳେଇ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ବ୍ୟାପକ ଭାବରେ ଜିଲ୍ଲା ବ୍ୟାପି ଆୟୋଜନ କରିବା ପାଇଁ ଓ ରଚନାତ୍ମକ ଶୈଳୀରେ ଆୟୋଜନ କରିବା ପାଇଁ ଆହ୍ବାନ କରିଥିଲେ। ବିଭିନ୍ନ ସଙ୍ଗଠନ ଓ କଳାହାଣ୍ଡିର ଜନ ସାଧାରଣ ଏହି ଦିଗରେ ଆଗେଇ ଆସି କଳାହାଣ୍ଡି ଜିଲ୍ଲା ଗଠନ ଦିବସକୁ ସଫଳ ରୂପାୟନ କରିବାକୁ ବିଭିନ୍ନ ବକ୍ତା ମତ ଦେଇଥିଲେ।
ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଭାରତ ଭୂଷଣ ଚଲାଣ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଯୋଗ୍ୟ, କଳାହାଣ୍ଡି ଏକ ଗଡଜାତ ରାଜ୍ୟ ଥିଲା। କଳାହାଣ୍ଡି ଗଡଜାତର ଶେଷ ନାଗବଂଶୀ ମହାରାଜା ପ୍ରତାପ କେଶରୀ ଦେଓ ୧୯୪୭ ମସିହା ଡିସେମ୍ବର ୩୧ ତାରିଖ ରାତିରେ ଗଡଜାତ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ ଓ ୧୯୪୮ ଜାନୁୟରୀ ପହିଲାରେ କଳାହାଣ୍ଡି ଗଡଜାତ ସ୍ଵାଧୀନ ଭାରତ ଦେଶରେ ମିଶ୍ରଣ ହେଲା ଓ ଓଡ଼ିଶା ପ୍ରଦେଶର ଅଂଶ ବିଶେଷ ହେଲା। ସେତେବେଳେ କଳାହାଣ୍ଡି ଗଡଜାତ ବଲାଙ୍ଗୀର ପାଟଣା ଜିଲ୍ଲାର ଏକ ଅଂଶ ହେଲା। ୧୯୪୯ ମସିହା ନଭେମ୍ବର ପହିଲାରେ ପୂର୍ବତନ କଳାହାଣ୍ଡି ଗଡଜାତ ର ଭବାନୀପାଟଣା ଓ ଧର୍ମଗଡ ସବଡିଭିଜନ ଓ ସମ୍ବଲପୁର ଜିଲ୍ଲାରେ ମିଶିକି ଥିବା ନୂଆପଡ଼ା ସବଡିଭିଜନ କୁ ଆଣି ନୂତନ କଳାହାଣ୍ଡି ରାଜସ୍ବ ଜିଲ୍ଲା ଗଠନ ହେଲା। ତେଣୁ ପ୍ରତିବର୍ଷ ନଭେମ୍ବର ପହିଲା କୁ କଳାହାଣ୍ଡି ଜିଲ୍ଲା ଗଠନ ଦିବସ ଭାବରେ ପାଳନ କରାଯାଉଛି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

