ଜିଲ୍ଲାସ୍ତରୀୟ ୨୬ତମ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍ଧଘାଟିତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡିର ମହନୀୟ କଳା, ସଂସ୍କୃତି ଓ ପରମ୍ପରା ସାରା ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । କଳା, କଳାକାର ଓ କଳାପ୍ରେମୀଙ୍କ ଏଇ ମାଟିର ବୀରତ୍ୱର ଗାଥା ବଖାଣ କରେ ଘୁମୁରା, ବନାବାଡି। ଅବର୍ଣ୍ଣନୀୟ କଳାର ସମ୍ଭାର ଏ ମାଟିର ଅପୂର୍ବ ମହୋତ୍ସବ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା। ଏହି ମହାନ ପରମ୍ପରାକୁ ଉଜ୍ଜୀବିତ କରି ରଖିଥିବା ଏଇ ଲୋକ ମହାପର୍ବ କେବଳ ପାଳିତ ହେଉନାହିଁ ନୂଆ ନୂଆ ଇତିହାସ ଲେଖୁଛି ବୋଲି ୨୬ତମ କଳାହାଣ୍ଡି ଉତ୍ସବର ଉଦଘାଟନୀ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରୁ ମଶାଲ ଆସିବା ପରେ ମା ମାଣିକେଶ୍ୱରୀ ମନ୍ଦିର ଠାରୁ ମଶାଲ ଅଣାଯାଇ ଉତ୍ସବ ସ୍ଥଳରେ ସ୍ଥାପନ ପରେପରେ ବିଧିବଦ୍ଧ ଭାବେ କଳାହାଣ୍ଡି ଉତ୍ସବ ମହାପର୍ବ ଉଦଘାଟିତ ହୋଇଯାଇଛି । ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ନର୍ଲା ବିଧାୟକ ଭୂପିନ୍ଦର ସିଂହ, ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ,ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜୀ,ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଅତିରିକ୍ତ ଜିଲ୍ଲାପାଳ ତନ୍ନୟ ଦରୱାନ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସଚିନ ପାୱାର, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଉପଜିଲ୍ଲାପାଳ ଡ. ବିଶ୍ୱଜିତ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀ ଉଦ୍‌ଘାଟନୀ ଉତ୍ସବ ରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କଳାହାଣ୍ଡି ଲେଖକ କଳା ପରିଷଦ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ମଞ୍ଚରେ ଘୁମୁରା ଗୁରୁ ଦେବୀ ପ୍ରସାଦ ଦାସ,ଚନ୍ଦ୍ରମଣି ମାଝୀ,ଧର୍ମରାଜ ହଂସ, ସତ୍ୟ ନାୟକ, କୁମ୍ବକାର ରବି ରଣା ପୁରସ୍କୃତ ହୋଇଥିଲେ।ମୋଟେର ଚମ୍ପେଶ୍ୱର୍ ଘୁମୁରା ଦଳ ପ୍ରଥମ, ରଜାମୁଣ୍ଡା ଘୁମୁରା ଦଳ ଦ୍ୱିତୀୟ ଓ କାରୁଣ କଳା କେନ୍ଦ୍ର ତୃତୀୟ ପୁରସ୍କାର ପାଇଥିଲେ। କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ର ସ୍ମରଣିକା “କଳାଝରଣ ” ଅତିଥି ଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା।କବି ସମ୍ମିଳନୀ ର କବିତା ପୁସ୍ତକ “ନିଶାନ”ର ମଧ୍ୟ ଉନ୍ମୋଚନ ହୋଇଥିଲା।ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଘୁମୁରା, ଭବାନୀପାଟଣା ସକ୍ଷମ କଳା ଏକାଡେମୀ ଦ୍ୱାରା ଓଡିଶୀ ନୃତ୍ୟ, କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଜୟପାଟଣା ରିଦମ୍ ସ୍କିଲ ଏକାଡେମୀ, ରାୟଗଡା ଜିଲ୍ଲା ସଂସ୍କୃତି ପରିଷଦ, ମାଲକାନଗିରି ଜିଲ୍ଲା ସଂସ୍କ୍ରୁତି ପରିଷଦ, ସିଟିଏମ୍‌ଏସ୍ ଦ୍ୱାରା ଘୋଡା ନାଚ, ଝାଡଖଣ୍ଡର ମନ୍ଦାରୀ ନୃତ୍ୟ, ହାବସପୁର ବନାବାଡି, ବଲାଙ୍ଗୀର କୋଶଲ ଫୋକ୍ ଏକାଡେମୀ, କଟକ ସିଂଘମ ଡ୍ୟାନ୍ସ ଏକାଡେମୀ ଦ୍ୱାରା ମୟୁରୀ ନୃତ୍ୟ, ନଟରାଜ ଡ୍ୟାନ୍ସ ଏକାଡେମୀ, ବେଦାନ୍ତ ଆଲୁମିନା ଲିମିଟେଡ଼ ଦ୍ୱାରା ଭାରତନାଟ୍ୟମ, ଛତିଶଗଡର ଗଣ୍ଡୱାନା ନୃତ୍ୟ, ପୁରୁଲିଆର ଛଉ ନୃତ୍ୟ, ସୁହାଗପୁରର ବଜାଶାଲ୍ ପରିବେଷିତ ହୋଇଥିଲା। ପାରବା ମଞ୍ଚରେ ଘୁମୁରା, ଚକାଡୋଳା ଡ୍ୟାନ୍ସ ଗ୍ରୁପ, ବିଜୟ ଡ୍ୟାନ୍ସ ଗ୍ରୁପ, ଟୁନୀ ଡ୍ୟାନ୍ସ ଗ୍ରୁପ, ଡିପିଏସ୍ ସ୍କୁଲ, ସକ୍ଷମ ଏକାଡେମୀ, ମନସୁନୀ ଅନମୋଲ ଗ୍ରୁପ, ଡିଆର୍ ଡ୍ୟାନ୍ସ ଗ୍ରୁପ, ସୋନାଲୀ ଡ୍ୟାନ୍ସ ଗ୍ରୁପ, ଡିଜେ ଡ୍ୟାନ୍ସ ସ୍କୁଲ, ଏସକେ ଡ୍ୟାନ୍‌ସ ଗ୍ରୁପ, କ୍ରିଏଟିଭ କଲଚରାଲ ଏକାଡେମୀ, ମାଆ ମଙ୍ଗଳା, ଶ୍ରୀ ଡ୍ୟାନ୍ସ ଗ୍ରୁପ, ପ୍ରଗତି କନସେପ୍ଟ ସ୍କୁଲ, ସନ୍ୟାସୀ କୁଣ୍ଡାମାଲର ମାଦଲି, ମାଁ ତାରିଣୀ ସଂକୀର୍ତ୍ତନ, ବଉଦର ମୟୁରୀ ଡ୍ୟାନ୍ସ ଗ୍ରୁପ୍ ଆଦିଙ୍କ ଦ୍ୱାରା ଆକର୍ଷଣୀୟ ନୃତ୍ୟ ପରିବେଷଣ କରାଯାଇଥିଲା। ସହିଦ ରେଣ୍ଡୋ ମାଝୀ ମଞ୍ଚରେ ସତ୍ୟନାରାୟଣ ମହାପାତ୍ର, ଶୁଭେନ୍ଦୁ ମହାପାତ୍ର, ମନୋଜ ଶର୍ମା, ସତ୍ୟ ନାରାୟଣ ମୁଣ୍ଡଛିନା, ବିରଞ୍ଚି ନାରାୟଣ ମୁଣ୍ଡ, ନିହାରୀକା ନାୟକ, ନମିତା ମିଶ୍ର ଓ ପାରବା ମଞ୍ଚରେ ସୁଶୀଲ ଗହୀର, ସୁଧୀର ନାଏକ, ଆଶୁତୋଷ ପାତ୍ର, ସୌରଭ ମହାପାତ୍ର, ଧନଞ୍ଜୟ ପଣ୍ଡା, ଲିପ୍ସା ମହାରଣା, ପ୍ରଜ୍ଞା ପାରମିତା ନାୟକ ପ୍ରମୁଖ ମଞ୍ଚ ସଂଚାଳନ କରିଥିଲେ। ଏହାପରେ ପରେ କଳାହାଣ୍ଡିର ମାଟିର ପ୍ରସିଦ୍ଧ ଲୋକଗାୟକ ସର୍ବେଶ୍ୱର ଭୋଇଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ଉପଭୋଗ କରିଥିଲେ। ସେହିପରି ଆଜିର ଉତ୍ସବ ଅବସରରେ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ, ଇ ଭି ଏମ ସଚେତନତା ଷ୍ଟଲ,ସଡ଼କ ସୁରକ୍ଷା ସଚେତନତା ଷ୍ଟଲ,ଖାଦ୍ୟ ଷ୍ଟଲ,ପଲ୍ଲୀଶ୍ରୀ ମେଳା, ଶିଳ୍ପ ମେଳା ଉଦଘାଟିତ ହୋଇଥିବାବେଳେ ଷ୍ଟଲଗୁଡିକରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ବିଭିନ୍ନ ସବକମିଟି ର ଅଧ୍ୟକ୍ଷ ଓ ସଭ୍ୟ, କଳାହାଣ୍ଡି ପୁଲିସ, ଅଗ୍ନିଶମ ବାହିନୀ, ଏନସିସି କ୍ୟାଡେଟମାନେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ନିୟୋଜିତ ରହିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts