କଳାହାଣ୍ଡି ଜିଲ୍ଲା ଗସ୍ତରେ କୃଷି ମତ୍ସ୍ୟ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଙ୍କ ବୈଠକ

ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଗସ୍ତରେ କୃଷି ଓ କୃଷକ ସଶକ୍ତିକରଣ,ମତ୍ସ୍ୟ ତଥା ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ କଳାହାଣ୍ଡି ଜିଲ୍ଲା ଗସ୍ତ ପୂର୍ବକ କ୍ଷେତ୍ର ପରିଦର୍ଶନ କରି କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଜୁନାଗଡ ବ୍ଲକ ସିନାକୁଟି ଗ୍ରାମର ଚାଷୀ ମନ୍ମଥ ଗଜାନନ ସାହୁ ଙ୍କ ସମନ୍ଵିତ ଚାଷ ପ୍ରଣାଳୀ ଯୋଜନାରେ ଅନ୍ତର୍ଭୁକ୍ତ ଫାର୍ମ କୁ ପରିଦର୍ଶନ ,ଦେଦର ଗ୍ରାମ ପଞ୍ଚାୟତ ର ୪୦ ହେକ୍ଟର ଜମିରେ ପାମ ତୈଳ ଚାଷ, ଭବାନୀପାଟଣା ବ୍ଲକ ର ସାନଖୈରମାଳ ଗ୍ରାମରେ ବିହନ ପ୍ରକ୍ରିୟାକରଣ ପ୍ଳାଣ୍ଟ , କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଙ୍କ ଉପସ୍ଥିତିରେ କୃଷି, ପ୍ରାଣୀସମ୍ପଦ , ଉଦ୍ୟାନ , ଜଳଛାୟା , ସମବାୟ ବିଭାଗର ଅଧିକାରୀଙ୍କୁ ନେଇ ଜିଲ୍ଲାରେ ପ୍ରଣୟନ ହେଉଥିବା ବିଭିନ୍ନ ସ୍କିମ , ଚାଷୀଙ୍କ ଊନତି , କ୍ଷେତ୍ର କର୍ମଚାରୀଙ୍କ କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ନିଜ ଗସ୍ତସମୟରେ କ୍ଷେତ୍ରରେ ଚାଷୀମାନେ ସାମନା କରୁଥିବା ବିଭିନ୍ନ ଅସୁବିଧାକୁ ଉଲ୍ଲେଖ କରି ଏହାର ନିରାକରଣ ଉପରେ ଗୁରୁତ୍ଵ ଦେବାକୁ କହିଥିଲେ । ଜିଲ୍ଲାପାଳଙ୍କ ଦ୍ଵାରା ପାଞ୍ଚଟି ବିଭାଗକୁ ନେଇ ସମନ୍ଵୟ ବୈଠକ ପ୍ରତି ମାସରେ କରିବା , ମୃତ୍ତିକା ପରୀକ୍ଷଣକୁ ଆହୁରି କ୍ରିୟାଶୀଳ କରିବା , ଚାଷୀମାନଙ୍କୁ ଚାଷର ଯାନ୍ତ୍ରୀକରଣର ଉପାଦେୟତା ଓ ସବସିଡି ଉପରେ ଗ୍ରାମ୍ୟଞ୍ଚଳକୁ ଯାଇ ବୁଝାଇବା , ଫସଲ ବୀମା ଯୋଜନାରେ ଆହୁରି ଅନେକ ଚାଷୀଙ୍କୁ ଭର୍ତ୍ତି କରିବା , ଭି.ଏ.ଡବ୍ଲୁ ଙ୍କ ଅନୁପସ୍ଥିତି ଏବଂ ଅବହେଳା ଉପରେ କାର୍ଯ୍ୟାନଷ୍ଠାନ,ମିଶ୍ରିତ ଚାଷକୁ ଗୁରୁତ୍ଵ,୮ଟି ବ୍ଲକ୍ ରେ ଚାଲିଥିବା ମିଲେଟ ମିଶନକୁ ଅନ୍ୟ ବ୍ଲକ କୁ ସଂପ୍ରସାରଣ କରିବା,କପାଚାଷ କରୁଥିବା ଚାଷୀଙ୍କୁ ବିଭାଗୀୟ ସହଯୋଗ ଓ କପା ବିକ୍ରି ପାଇଁ ଆର.ଏମ.ସି ର ଭୂମିକା, ତାଳ ତୈଳ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ କରିବା,ପ୍ରାଣୀସମ୍ପଦ ରେ ବ୍ଲାକ ବେଙ୍ଗଲ ଜାତୀୟ ଛେଳି ପ୍ରଜାତିକୁ ଅନ୍ତର୍ଭୁକ୍ତ କରିବା ପାଇଁ କହିଥିଲେ । କୋରାପୁଟ ରେ ଯେଭଳି କଫି ଚାଷ ଆଖିଦୃଶିଆ ଉନ୍ନତି କରିଛି ତାର ଉଦାହରଣ ଦେଇ କଳାହାଣ୍ଡି ଜିଲ୍ଲାରେ ଏହାକୁ ବ୍ୟାପକ କରିବାକୁ ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଙ୍କୁ କହିଥିଲେ । ସର୍ବୋପରି ଜିଲ୍ଲାରେ ସମନ୍ଵିତ ଚାଷ ପ୍ରଣାଳୀ , ମିଶ୍ରିତ ଚାଷ କୁ ଗୁରୁତ୍ଵ ଦେବା ସହ ସର୍ବୋତ୍ତମ ଉର୍ବର ମୃତ୍ତିକା ଅଧିକାରୀ ଏହି ଜିଲ୍ଲା ଚାଷ କ୍ଷେତ୍ରରେ ଏକ ନୂତନ ଉଦାହରଣ ସୃଷ୍ଟି କରୁ ବୋଲି କହିଥିଲେ ।ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଏବଂ ସନ୍ତୋଷ ପାତ୍ର,ସି ଡି ଏ ଓ ପ୍ରଫୁଲ୍ଲ କୁମାରସେଠୀ,ଡି.ଡି.ଏଚ କିଶୋର ମହାଲିଙ୍ଗ, ଡି.ଆର.ସି.ଏସ ପ୍ରମୋଦ କୁମାର ସାହୁ , ପି.ଡି. ୱାଟରସେଡ଼, ଡି.ଆଇ.ପି.ଆର.ଓ ମନୋଜ ବେହେରା , ସି. ଡି. ଭି. ଓ , ଉପ ନିର୍ଦ୍ଦେଶକ ମତ୍ସ୍ୟ ବିଭାଗ,ଜୁନାଗଡ, କେସିଙ୍ଗା ଓ ଧର୍ମଗଡ ଆର ଏମ ସି ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ ।