କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କାରୁଣ୍ଡ କଳା କେନ୍ଦ୍ରର ରୋୖପ୍ୟ ଜୟନ୍ତୀ ପାଳତ

0 minutes, 0 seconds Read

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ର ବୀରବାଦ୍ୟ ଘୁମୁରା ନୃତ୍ୟ କଳାହାଣ୍ଡିର ସାଂସ୍କୃତିକ ପରିଚୟ ଓ ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ସେହିପରି କଳାହାଣ୍ଡିର ଲୋକ ସଂସ୍କୃତିର ସଂରକ୍ଷଣ ଓ ବିକାଶ ଦିଗରେ କାରୁଣ୍ଡ କଳା କେନ୍ଦ୍ରର ଅବଦାନ ରହିଛି। ଲୋକନୃତ୍ୟ ଓ ଲୋକ ସଂସ୍କୃତିକୁ ସମସାମୟିକ ଦର୍ଶକଙ୍କ ମନ ଲାଖି ସମୟ ସହ ତାଳ ଦେଇ କଳାହାଣ୍ଡିର ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଉଦ୍ୟମ କରିବାକୁ କାରୁଣ୍ଡ କଳା କେନ୍ଦ୍ରର ରୌପ୍ୟ ଜୟନ୍ତୀ ସମାରୋହରେ ଅତିଥିମାନେ ଆହ୍ୱାନ ଦେଇଛନ୍ତି।
ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ କଳାହାଣ୍ଡିର ଅଗ୍ରଣୀ ସାଂସ୍କୃତିକ ଓ ସ୍ବେଚ୍ଛା ସେବୀ ଅନୁଷ୍ଠାନ “କାରୁଣ୍ଡ କଳା କେନ୍ଦ୍ର” ତାହାର ରୌପ୍ୟ ଜୟନ୍ତୀ ସମାରୋହ ଆୟୋଜନ କରିଛି। ଅନୁଷ୍ଠାନ ର ସଭାପତି ପଦ୍ମନାଭ ରାଜୁଙ୍କ ପୌରହିତ୍ୟରେ ଅୟୋଜିତ ସାଂସ୍କୃତିକ ସଭାରେ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଉଦଘାଟକ, ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ କୁମାର ରଥ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ତଥା ଗବେଷକ ଉମା ଶଙ୍କର କର ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୨ ଜଣ ସଙ୍ଗୀତଜ୍ଞ ସୁଧୀର ଚନ୍ଦ୍ର ପଣ୍ଡା, ନାଟ୍ୟକାର ନିର୍ଦ୍ଦେଶକ ଅଶୋକ ପାତ୍ର, ଘୁମୁରା ଗୁରୁ କୈଳାସ ଚନ୍ଦ୍ର ସିଂହ,ଶାସ୍ତ୍ରୀୟ ଓ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ଶଶାଙ୍କ ଶେଖର ମହାପାତ୍ର, ଅଭିନେତା ଅବଦୁଲ କାଦିର, ଚଳଚ୍ଚିତ୍ର ସମ୍ପାଦକ ଅମରେନ୍ଦ୍ର ମହାପାତ୍ର,ବୈଦ୍ୟରାଜ ପବିତ୍ର ଶବର, ସୁଆଙ୍ଗ କଳାକାର ଦୁର୍ଗା ପ୍ରସାଦ ବାଣୁଆ, କଳାହାଣ୍ଡିଆ ଶବ୍ଦକୋଷ ରଚୟିତା ପରମେଶ୍ୱର ମୁଣ୍ଡ, ଲୋକ ସଂସ୍କୃତି ଗବେଷକ ଧ୍ୟାନାନନ୍ଦ ପଣ୍ଡା, କଣ୍ଠଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଓଡ଼ିଶୀ ତଥା ଲୋକନୃତ୍ୟ ଗୁରୁ ସତ୍ୟବାନ ପ୍ରଧାନୀଙ୍କୁ “କାରୁଣ୍ଡଶ୍ରୀ ସମ୍ମାନ”ପ୍ରଦାନ କରାଯାଇଥିଲା। ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। କଳାହାଣ୍ଡି ଲେଖକ କଳା ପାରିଷଦ ସଙ୍ଗୀତ ମହାବିଦ୍ୟାଳୟର ଶିଳ୍ପୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକାରୀ ସଭ୍ୟ ଡ଼. ତପନ ରଥ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଏବଂ କାର୍ଯ୍ୟକାରୀ ସଭ୍ୟ ଜଗଦୀଶ ମଣ୍ଡଳ ଧନ୍ୟବାଦ ଅର୍ପଣ କରିଥିଲେ। ଆକାଶବାଣୀ କଳାକାର ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ଏଥିରେ କାରୁଣ୍ଡ କଳା କେନ୍ଦ୍ରର ଘୁମୁରା ନୃତ୍ୟ, କଳାହାଣ୍ଡି କଳା କେନ୍ଦ୍ରର ଓଡ଼ିଶୀ, ପ୍ରତିଭା ଅନୁଷ୍ଠାନର ସିଙ୍ଗାରି ନୃତ୍ୟ, ଜେ. କେ ଡାନ୍ସ ସ୍କୁଲର ସମ୍ବଲପୁରୀ ନୃତ୍ୟ ଓ ପଣ୍ଡିତ ମଙ୍ଗଳୁ ମିଶ୍ର ଓ ସାଥି ଦାସକାଠିଆ ନୃତ୍ୟ ପରିବେଷଣ କରିଥିଲେ। ଅନୁଷ୍ଠାନର ଉପସଭାପତି ପ୍ରଦୀପ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ସୋମନାଥ ରାଜୁ, କାର୍ଯ୍ୟକାରୀ ସଭ୍ୟ ପ୍ରଶାନ୍ତ ଠାକୁର, ଲୋକନାଥ ରାଜୁ, ବିଜୟ ମୁନି, ରଜନୀ ମିଶ୍ର, ଶିବ ନାଏକ, ହେମନ୍ତ ରାୟ, ସମିତା ମହାପାତ୍ର ପ୍ରମୁଖ ରୌପ୍ୟ ଜୟନ୍ତୀ ସମାରୋହ ପରିଚାଳନା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts