ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଜଗନ୍ନାଥ ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ରଥରେ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଛନ୍ତି। ଗୁଣ୍ଡିଚା ମନ୍ଦିରରେ ଆଡ଼ପ ମଣ୍ଡପ ଜନ୍ମବେଦୀରେ ଭାଇ ଭଉଣୀ ସହ ଅବସ୍ଥାନ କରୁଛନ୍ତି।
ସେପଟେ ଶ୍ରୀ ମନ୍ଦିରରେ ଏକାକୀ ରହି ଯାଇଛନ୍ତି ଲକ୍ଷ୍ମୀ ଠାକୁରାଣୀ। ପତି ବିରହ ବେଦନାରେ ୫ ଦିନ ଶ୍ରୀ ମନ୍ଦିରରେ ରହିବା ପରେ ହେରା ପଞ୍ଚମୀ ତିଥିରେ ଲକ୍ଷ୍ମୀ ଠାକୁରାଣୀ ମହାବାହୁ ଜଗନ୍ନାଥଙ୍କୁ ମନାଇବା ପାଇଁ ପାଟ ପଟୁଆରରେ ଏକ ସୁସଜ୍ଜିତ ବିମାନରେ ଘଣ୍ଟ ଓ ବାଦ୍ୟର ତାଳେ ତାଳେ ଆସିଥିଲେ ଗୁଣ୍ଡିଚା ମନ୍ଦିରକୁ।
ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କୁ ଅଭିମାନ ଭରା କଣ୍ଠରେ ମହାଲକ୍ଷ୍ମୀ ସାଥିରେ ତାଙ୍କୁ କାହିଁକି ଆଣିଲେ ନାହିଁ ବୋଲି ଅଭିଯୋଗ କରିବା ସହ ଶ୍ରୀମନ୍ଦିର ଫେରି ଆସିବାକୁ ଅନୁରୋଧ କରିଛନ୍ତି। ସର୍ବ ନିୟନ୍ତା ବିଶ୍ଵର ବିସ୍ମୟ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଏହି ମାନବୀୟ ଲୀଳା ସନ୍ଦର୍ସନ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ବାହୁଡ଼ିବି ବୋଲି ଜଗନ୍ନାଥ ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରତିଶ୍ରୁତି ଦେବା ପରେ ଲକ୍ଷ୍ମୀ ଠାକୁରାଣୀ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଫେରି ଆସିଥିଲେ। ଫେରିବା ବେଳେ ବାଟରେ ନନ୍ଦୀଘୋଷ ରଥକୁ ପ୍ରତୀକାତ୍ମକ ଭାବରେ ଲକ୍ଷ୍ମୀ ଠାକୁରାଣୀ ଭାଙ୍ଗି ଦେଇଥିଲେ।
ରଥଯାତ୍ରା ଅବସରରେ ଆୟୋଜିତ ଜଗନ୍ନାଥ ଓ ଲକ୍ଷ୍ମୀ ଠାକୁରାଣୀ ଙ୍କ ଏହି ମାନବୀୟ ଲୀଳା କୁ ହେରାପଞ୍ଚମୀ ଉତ୍ସବ କୁହାଯାଇଥାଏ। ପ୍ରତିବର୍ଷ ଭବାନୀପାଟଣାରେ ଆୟୋଜିତ ଏହି ହେରା ପଞ୍ଚମୀ ଉତ୍ସବରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ସେହିପରି ଗୁରୁବାର ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରୀ ଜଗନ୍ନାଥ ଭଜନ ଧାରା କାର୍ଯ୍ୟକ୍ରମରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ନାରାୟଣ ସଦେଇ ସଙ୍ଗୀତ ବିଦ୍ୟାଳୟ ଓ ଶ୍ରୀ ଅରବିନ୍ଦ ସଙ୍ଗୀତ ବିଦ୍ୟାଳୟର କଳାକାର ମାନେ ଭଜନ ପରିବେଷଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

