ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ର ବିଭିନ୍ନ ସମସ୍ୟା କୁନେଇ ପୁରାତନ ଛାତ୍ର ସଂଘ ର ସାମ୍ବାଦିକ ସମ୍ମିଳନୀ

ନ୍ୟୁଜ ଗ୍ୟାଲେରୀ,ଭବାନୀପାଟଣା: କଳାହାଣ୍ଡି ଭଳି ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାରେ କଳାହାଣ୍ଡି ସ୍ବୟଂଶାସିତ ମହାବିଦ୍ୟାଳୟ କୁ ବିଶ୍ଵ ବିଦ୍ୟାଳୟକୁ ଉନ୍ନୀତ କରାଗଲା। କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ରୁ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟ ଭାବେ ନାମିତ କରାଗଲା। କିନ୍ତୁ ନାଁ ବଦଳିଲେ ମଧ୍ୟ ବ୍ୟବସ୍ଥାରେ କିଛି ପରିବର୍ତ୍ତନ ହେଲା ନାହିଁ। ଫଳରେ ଜିଲ୍ଲାର ସର୍ବବୃହତ ଶିକ୍ଷାନୁଷ୍ଠାନ ର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଗଣମାଧ୍ୟମ ର ଦୃଷ୍ଟି ଆକର୍ଷଣ ପାଇଁ ପୁରାତନ ଛାତ୍ର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀର କରାଯାଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂଘର ଆବାହକ ଡଃ ଅଜୟ ମିଶ୍ର, ସଂଘର ଉପଦେଷ୍ଟା ଜଗନ୍ନାଥ ମୁଣ୍ଡ, ଉପ ସଭାପତି ଭବେନ୍ଦ୍ର ପଣ୍ଡା, ସମ୍ପାଦକ ଅବିନାଶ ଠାକୁର, ଆଇନଜୀବୀ ନିମାଞ୍ଚଳ ନାଏକ, ପୁର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ସୁମନ ରଥ, ହରଜିନ୍ଦର ସିଂ, ଯୁବନେତା ମଣ୍ଟୁ ନାଏକ, କିର୍ତ୍ତନ ନାଏକ, ତ୍ରିଲୋଚନ ପାଣିଗ୍ରାହୀ, ପୂର୍ବତନ ଛାତ୍ର ସଂସଦ ସଭାପତି ଅଜିତ ସାହୁ, ପରମାନନ୍ଦ ମାଝୀଙ୍କ ସମେତ ବହୁ ପୁରାତନ ଅଧ୍ୟାପକ, ବୁଦ୍ଧିଜୀବୀ, ପୂର୍ବତନ ଛାତ୍ର ନେତା ଯୋଗଦେଇ ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା, ଅନିୟମିତତା ଏବଂ ଛାତ୍ରଙ୍କ ପ୍ରତି ହେଉଥିବା ଅବହେଳା ସମ୍ପର୍କରେ ଅବଗତ କରିଥିଲେ। ଏହା ସହିତ ବିଶ୍ବବିଦ୍ୟାଳୟର ରେଡକ୍ରସ, ଏନସିସି ଏବଂ ଜାତୀୟ ସେବା ଯୋଜନା ର ସ୍ବେଚ୍ଛାସେବୀ ମାନଙ୍କ ସାମାଜିକ କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ ୧୯୬୦ ମସିହାରେ ଆରମ୍ଭ ହୋଇଥିବା କଳାହାଣ୍ଡି ବିଜ୍ଞାନ କଲେଜ ୨୦୧୯ ମସିହାରେ ବିଶ୍ଵ ବିଦ୍ୟାଳୟ ର ମାନ୍ୟତା ପାଇଥିଲା। କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୫୦ଟି କଲେଜ ଅନୁବନ୍ଧିତ ହେଇଥିବା ଏହି ବିଶ୍ଵବିଦ୍ୟାଳୟଟି ଏବେ ନାନା ସମସ୍ୟା ଦେଇ ଗତିକରୁଛି। ବିଶ୍ବବିଦ୍ୟାଳୟ କତୃପକ୍ଷଙ୍କ ବେପାରୁଆ ଏବଂ ସଂକୀର୍ଣ୍ଣ ମନୋଭାବ ଏହାର କୃତି ଓ କୃତିତ୍ବ ହ୍ରାସ କରିବା ସହିତ ମର୍ଯ୍ୟାଦା କୁ ହାନୀ କରୁଥିବା ପୁରାତନ ଛାତ୍ର ସମୂହ ଅଭିଯୋଗ କରିଛିନ୍ତି ।ବିଶ୍ବବିଦ୍ୟାଳୟର ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିବା, ୟୁଜିସି ନିୟମ ଅନୁସାରେ ସଠିକ୍ ସମୟରେ ପରୀକ୍ଷା ନହେବା ଏବଂ ଫଳାଫଳ ପ୍ରକାଶରେ ବିଳମ୍ବ ଘଟିବା, ପରୀକ୍ଷା ନିୟନ୍ତ୍ରଣ ବିଭାଗର ବେପାରୁଆ ମନୋଭାବ ସହ ଛାତ୍ର ଛାତ୍ରୀ ପ୍ରତି ରୁକ୍ଷ ବ୍ୟବହାର ଏକ ସମ୍ବେଦନଶୀଳ ବିଷୟ ବୋଲି ପୁରାତନ ଛାତ୍ର ସଂଘ ଅଭିଯୋଗ କରୁଛନ୍ତି। ଏକାଡେମୀକ କାଉନସିଲର ସ୍ଥାଣୁତା ଏବଂ ବୋର୍ଡ ଅଫ୍ ଷ୍ଟଡିଜ ନିୟମ ଅନୁଯାୟୀ ନବସିବା, ସିଣ୍ଡିକେଟ ର କ୍ଷମତାକୁ ଜାଣିଶୁଣି ସଂକୁଚିତ କରାଯିବା, ପିଏଚଡ଼ି ନାମ ପଞ୍ଜିକୃତ ପାଇଁ କଳାହାଣ୍ଡି ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ମାନଙ୍କୁ ସୁଯୋଗ ନ ଦେବା, ବିଶ୍ବବିଦ୍ୟାଳୟର ଓଡିଆ ବିଭାଗର ଟପ୍ପର ଛାତ୍ରଛାତ୍ରୀ ମାନଙ୍କୁ ଓଡିଆ ସାହିତ୍ୟ ଏକାଡେମୀ ପୁରସ୍କାରରୁ ବଞ୍ଚିତ କରିବା, ଅତିଥି ଅଧ୍ୟାପକ ନିଯୁକ୍ତି ବିଳମ୍ବ ସାଙ୍ଗକୁ +୨ ଅତିଥି ଅଧ୍ୟାପକଙ୍କୁ ଗତ ଫେବୃଆରୀ ମାସ ଠାରୁ ଏଯାଏଁ ଦରମା ନଦେବା ଆଦି ଘଟଣାକୁ ଆବାହକ ଡଃ ଅଜୟ ମିଶ୍ର ଉଦବେଗ ପ୍ରକାଶ କରିଥିଲେ ।
ଏପରିକି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଆଲୁମିନା ସଦସ୍ୟ ବା ପୁରାତନ ଛାତ୍ର ସଂଘ , ବୁଦ୍ଧିଜୀବୀ ଓ ଜିଲ୍ଲାର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ସାମିଲ ନ କରିବା ଘଟଣାକୁ ସଂଘ ନିନ୍ଦା କରିଛି। ଏଭଳି କି ଛାତ୍ର ଅଭିଯୋଗ ସମାଧାନ କମିଟି ଗଠନ କୁ ଖାଲି କାଗଜପତ୍ରରେ ସିମୀତ ରଖି ଓ୍ବେବସାଇଟ୍ ରେ ସାର୍ବଜନୀନ କରାଯାଇ ନାହିଁ । ୟୁଜିସି ନିୟମ ଅନୁଯାୟୀ ଅନେକ କମିଟି ଯଥା ଏକାଡେମୀ କାଉନସିଲ, ଆଇସିସି , ରିସର୍ଚ୍ଚ ଆଡଭାଇଜରୀ କମିଟି, ଆଇକ୍ୟୁଏସି କମିଟିର ଗଠନ ସଠିକ ଭାବରେ ହୋଇ ପାରିନାହିଁ ବୋଲି ଅଭିଯୋଗ ଆଣିଛନ୍ତି। ଏପରିକି ରାଗିଂ ରୋକିବା ପାଇଁ ବିଶ୍ଵ ବିଦ୍ୟାଳୟ ତରଫରୁ ଅଧିକାଂଶ ଅନୁବନ୍ଧିତ କଲେଜ ମାନଙ୍କରେ ଏଣ୍ଟି ରାଗିଂ ସେଲ ମଧ୍ୟ ଗଠନ କରାଯାଇନାହିଁ। ଅନ୍ୟପଟେ ହଷ୍ଟେଲ ମେସରେ ନଖାଇଲେ ମଧ୍ୟ ହଷ୍ଟେଲ ଛାତ୍ରଛାତ୍ରୀଙ୍କ ଠାରୁ ସମସ୍ତ ମେସ ଖର୍ଚ୍ଚ ବାଧ୍ୟ ବାଧକତାରେ ନିଆଯାଉଥିବା ଅଭିଯୋଗ ଆନିଛନ୍ତି ଏହି ଘଟଣା ଓ ହଷ୍ଟେଲର ଅନ୍ୟାନ୍ୟ ସମସ୍ୟା ସମ୍ପର୍କିରେ ମୁହଁ ଖୋଲିଲେ ପିଲାଙ୍କୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ ଗତ ବର୍ଷ ଉଦଘାଟିତ ମାଗଣା ଓ୍ବାଇଫାଇ ସେବା ପାଇବା ଏବଂ ସ୍ମାର୍ଟ କକ୍ଷରେ ଡିଜିଟାଲ ପାଠ ପଢିବାରୁ ଛାତ୍ରଛାତ୍ରୀ ମାନଙ୍କୁ ବଞ୍ଚିତ ରଖା ଯାଇଛି। ଅନ୍ୟ ସମସାମୟିକ ବିଶ୍ଵବିଦ୍ୟାଳୟ ସଂଯୁକ୍ତ ଯୁକ୍ତ ଦୁଇ କଲେଜ୍ ରେ ବରିଷ୍ଠତା ଭିତ୍ତି ରେ ଅଧ୍ୟାପକ ଙ୍କୁ ଅଧ୍ୟକ୍ଷ ଦାୟିତ୍ବ ଦିଆଯାଇଛି। କିନ୍ତୁ ଏଠି କୁଳପତି ସବୁକିଛି । ଅନ୍ୟ ସମସାମୟିକ ବିଶ୍ଵବିଦ୍ୟାଳୟରେ ପିଲାଙ୍କ ବେକ ପେପର ରି ଚେକିଙ୍ଗ ଫି କମ ନିଆଯାଏ। ଅଥଚ ଆର୍ଥିକ ଅନୁନ୍ନତ କଳାହାଣ୍ଡି ରେ ମାଁ ମାଣିକେଶ୍ଵରୀ ବିଶ୍ଵ ବିଦ୍ୟାଳୟରେ ପିଲାଙ୍କ ଠାରୁ ନାନା ଭାବେ ଅଧିକ ଫି ଆଦାୟ କରାଯାଉଛି ତାକୁନେଇ ପୁରାତନ ଛାତ୍ର ସଂଘ ଅଭିଯୋଗ କରୁଛନ୍ତି। ବିଶ୍ଵ ବିଦ୍ୟାଳୟରେ କୂଳ ସଚିବ ଭାବେ ପିତାମ୍ବର ଭୋଇ ( ଓଏଏସ ) ଙ୍କୁ ସରକାର ନିଯୁକ୍ତି ଦେଇଛନ୍ତି। ଅଥଚ ସରକାରୀ ପ୍ରଶାସନିକ ଅଧିକାରୀ ଥାଇ ମଧ୍ୟ କୁଳପତି ସବୁ କ୍ଷମତା ନିଜେ ରଖି କୁଳସଚିବଙ୍କ କ୍ଷମତାକୁ ଗୌଣ କରିବାର ନଜିର ରହିଛି ।ଏସବୁ ବ୍ୟତିକ୍ରମ ପାଇଁ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥିଙ୍କୁ ପୁରାତନ ଛାତ୍ର ସମୁହ ସିଧାସଳଖ ଦାୟୀ କରିଛି।କୁଳପତି ଶ୍ରୀ ଶତପଥି କୌଣସି କାରଣରୁ ଗତ ପ୍ରାୟ ମାର୍ଚ୍ଚ ମାସରୁ ବିଶ୍ଵବିଦ୍ୟାଳୟ ରେ ଅନୁପସ୍ଥିତ ରହୁଛନ୍ତି। ସବୁ ଫାଇଲ ତାଙ୍କ ପାଖକୁ ଭୁବନେଶ୍ୱର ନିଆଯାଉଥିଲା। କିନ୍ତୁ ମଝିରେ ମଝିରେ ଦିନେ ଅଧେ ଆସି ସଭା ସମିତି କରି ବିଶ୍ଵବିଦ୍ୟାଳୟରୁ ସେ ନିୟମିତ ଦରମା ନେଇଛନ୍ତି। ହେଲେ ଏବେ କୌଣସି କାରଣରୁ ପିଜି କାଉନସିଲ ଅଧ୍ୟକ୍ଷ ଡ଼ଃ ନିବେଦିତା ନାଥ ଙ୍କୁ ଭାରପ୍ରାପ୍ତ କୁଳପତି ଭାବେ ସରକାର ଦାୟିତ୍ଵ ଦେଇଛନ୍ତି। ଏଣୁ ନୂତନ ସ୍ଥାୟୀ କୁଳପତି ନିଯୁକ୍ତି ସହିତ ବିଶ୍ବବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ତଥା ପରୀକ୍ଷା ନିୟନ୍ତ୍ରଣ ବିଭାଗ କୁ ପୁନର୍ଗଠନ କରି ବିଶ୍ଵବିଦ୍ୟାଳୟରେ ଅମୂଲଚୂଳ ପରିବର୍ତ୍ତନ କରିବାକୁ ପୁରାତନ ଛାତ୍ର ସଂଘ ଦାବି କରିଛି। ଆବଶ୍ୟକ ସ୍ଥଳେ ବିଶ୍ଵବିଦ୍ୟାଳୟର ଅନିୟମିତତା ର ତଦନ୍ତ ଦାବୀ ସହ ଅନୁଷ୍ଠାନର ମର୍ଯ୍ୟାଦା ରକ୍ଷା ପାଇଁ ପୁରାତନ ଛାତ୍ର ସଂଘ ବିଶ୍ଵବିଦ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣା ରେ ବସିବ। ଏଥି ସହିତ ଖୁବ୍ ଶୀଘ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ସମସ୍ତ ବିବରଣୀ ତାଙ୍କୁ ଅବଗତ କରି ଆମୂଳଚୁଳ ପରିବର୍ତ୍ତନ ପାଇଁ ସଂଘ ଦାବି କରିବ ବୋଲି ସଂଘର ସମ୍ପାଦକ ଅବିନାଶ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।