ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ୪୪ତମ ପ୍ରତିଷ୍ଠା ଦିବସ ପାଳିତ

0 minutes, 0 seconds Read

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: (ସତ୍ୟନାରାୟଣ ମହାପାତ୍ର) କଳା ମଞ୍ଜୁଳ କଳାହାଣ୍ଡିର ସାଂସ୍କୃତିକ ପରିଚୟ ହେଉଛି ଘୁମୁରା। ଦେଶ ବିଦେଶରେ କଳାହାଣ୍ଡି ପ୍ରସଙ୍ଗରେ ଆଲୋଚନା ବେଳେ “ଘୁମୁରା” ସମ୍ପର୍କରେ ବିଶେଷ ଚର୍ଚ୍ଚା ହୋଇଥାଏ। ବିଶ୍ବରେ ଅନେକ ଯୁଦ୍ଧ ବାଦ୍ୟ ବିସ୍ମୃତ ହୋଇ ସାରିଥିବା ଆଉ କିଛି ଯୁଦ୍ଧ ବାଦ୍ୟ ତାହାର ଅସ୍ଥିତ୍ଵ ହରାଇ ସାରିଥିବା ବେଳେ କଳାହାଣ୍ଡିର ବୀର ବାଦ୍ୟ, ଯୁଦ୍ଧ ବାଦ୍ୟ ଘୁମୁରା ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛି। ବୀର ବାଦ୍ୟ ଘୁମୁରା କଳାହାଣ୍ଡିର ଅସ୍ମିତାକୁ ବିଶ୍ଵ ଦରବାରରେ ପ୍ରତିଷ୍ଠିତ କରିଛି। ଆଜି ଘୁମୁରା ରଣବାଦ୍ୟରୁ ଗଣବାଦ୍ୟରେ ପରିଣତ ହୋଇ ଲୋକପ୍ରିୟତା ଅର୍ଜନ କରିଛି। ଘୁମୁରାର ପ୍ରଚାର ପ୍ରସାର କ୍ଷେତ୍ରରେ ମହାରାଜା ପ୍ରତାପ କେଶରୀ ଦେଓଙ୍କ ଉଲ୍ଲେଖନୀୟ ଭୂମିକା ରହିଛି। ୧୯୬୧ ମସିହାରେ ଲୋକସଭା ସଦସ୍ୟ ମହାରାଜା ପ୍ରତାପ କେଶରୀ ଦେଓଙ୍କ ଦ୍ୱାରା କଳାହାଣ୍ଡିର ଲୋକନୃତ୍ୟ ଘୁମୁରା ଦଳ ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହୋଇ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ୧୯୮୦ ମସିହା ଅଗଷ୍ଟ ପହିଲାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନ ଦ୍ଵାରା ପ୍ରତିଷ୍ଠା କରାଯାଇଥିବା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀ ବିଗତ ୪୪ ବର୍ଷ ଧରି ଘୁମୁରାର ସଂରକ୍ଷଣ ଓ ପ୍ରଚାର ପ୍ରସାର ନିମନ୍ତେ ଉଦ୍ୟମ ଜାରି ରଖିଛି। ଅଗଷ୍ଟ ପହିଲା ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ପ୍ରତିଷ୍ଠା ଦିବସକୁ ” ଘୁମୁରା ଦିବସ” ଭାବରେ ପାଳନ କରିବା ନିମନ୍ତେ ୪୪ ତମ ପ୍ରତିଷ୍ଠା ଦିବସ ଅବସରରେ ଅତିଥି ମାନେ ମତ ଦେଇଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ସଭାପତି ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଘୁମୁରା ଏକାଡେମୀର ୪୪ ତମ ପ୍ରତିଷ୍ଠା ଦିବସ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ କଳାହାଣ୍ଡି ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ପୂର୍ବତନ ସଭାପତି ତଥା ସଂସ୍କୃତି ସଂଗଠକ ଓ ଗବେଷକ ଜୟନ୍ତ ବେହେରା ସମ୍ମାନିତ ଅତିଥି ଏବଂ ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ତଥା ସଂସ୍କୃତି ଗବେଷକ ସତ୍ୟ ନାରାୟଣ ମହାପାତ୍ର ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମହାରାଜା ପ୍ରତାପ କେଶରୀ ଦେଓ ଘୁମୁରା ଏକାଡେମୀର ଅଧ୍ୟକ୍ଷ ସୁରୁ ବାରିକ ଓ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ବାଦ୍ୟ ଗୁରୁ ପ୍ରଦୀପ କୁମାର ସିଂହ ମଞ୍ଚାସିନ ଥିଲେ। ମହାବୀର ସାଂସ୍କୃତିକ ଅନୁଷ୍ଠାନର ଉପ ସଭାପତି ସଞ୍ଜୟ କୁମାର ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଯୁଗ୍ମ ସମ୍ପାଦକ ସଞ୍ଜୀବ କୁମାର ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଦୁଇଜଣ ଘୁମୁରା କଳାକାର ଓ ଦୁଇଜଣ ଘୁମୁରା କୁମ୍ଭକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ପରେ ପରେ ଘୁମୁରା ଏକାଡେମୀର କଳାକାର ମାନେ ଘୁମୁରା ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ଶିଶୁ କଳାକାର ମାନଙ୍କ ଦ୍ବାରା ଲୋକ ନୃତ୍ୟ ପରିବେଷିତ ହୋଇଥିଲା।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts