ନ୍ୟୁଜଗ୍ୟାଲେରି: ନୂଆଦିଲ୍ଲୀ,ଫୋନ୍ ହଜିଲେ କିମ୍ବା ଚୋରି ହୋଇଲେ ସେଥିରେ ଥିବା ସିମ୍ କାର୍ଡକୁ ବ୍ଲକ୍ କରିବା ଏବଂ ପୁଲିସରେ ଅଭିଯୋଗ କରିବା ବ୍ୟତୀତ ଲୋକମାନେ ଆଉ ବିଶେଷ କିଛି କରିପାରନ୍ତି ନାହିଁ। କେବଳ କିଛି ଭାଗ୍ୟଶାଳୀ ଲୋକ ନିଜ ଫୋନ୍କୁ ଫେରିପାଆନ୍ତି। କିନ୍ତୁ କେନ୍ଦ୍ର ସରକାର ‘ସିଇଆଇଆର୍’ ବା ସଞ୍ଚାର ସାଥୀ ପୋର୍ଟାଲ ନାମକ ବ୍ୟବସ୍ଥା ବିକାଶ କରିଛନ୍ତି ଯାହା ଜରିଆରେ ହଜିଯାଇଥିବା ଫୋନ୍କୁ ଠାବ କରିହେବ ଏବଂ ତାହାକୁ ବ୍ଲକ୍ ମଧ୍ୟ କରିହେବ। ଫଳରେ ତାହାକୁ ଚୋରାଇଥିବା କିମ୍ବା ପାଇଥିବା ଲୋକ ବ୍ୟବହାର କରିପାରିବେ ନାହିଁ। ଚଳିତ ମାସ ୧୭ରୁ ଏହି ବ୍ୟବସ୍ଥା ସର୍ବଭାରତୀୟ ସ୍ତରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।
ଟେଲିକମ୍ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହାକୁ ଶୁଭାରମ୍ଭ କରିବା କାର୍ଯ୍ୟକ୍ରମ ରହିଛି। ସରକାରୀ ସଂସ୍ଥା ସି-ଡଟ୍ ଏହି ବ୍ୟବସ୍ଥା ବିକାଶ କରିଛି। ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତାହାର ପରୀକ୍ଷଣ ଚାଲିଥିଲା। ସର୍ବଭାରତୀୟ ସ୍ତରରେ ଲାଗୁ ହେବା ପାଇଁ ଏହି ସୁବିଧା ପ୍ରସ୍ତୁତ ହୋଇଯାଇଛି। ସି-ଡଟ୍ର ସିଇଓ ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ ଦେଶର ଟେଲିକମ୍ ନେଟ୍ୱର୍କରେ ଥିବା କ୍ଲୋନ୍ଡ (ନକଲି) ମୋବାଇଲ୍ ଫୋନ୍ଗୁଡ଼ିକୁ ଠାବ କରିବା ଲାଗି ମଧ୍ୟ ଏଥିରେ ସୁବିଧା ରହିବ। ଦେଶରେ ବିକ୍ରି ହେଉଥିବା ସମସ୍ତ ମୋବାଇଲ୍ ଫୋନ୍ର ଆଇଏମ୍ଇଆଇ ନମ୍ବର ଘୋଷଣା ବାଧ୍ୟତାମୂଳକ କରାଯାଇଛି। ସେହି ନମ୍ବରଗୁଡ଼ିକର ତାଲିକା ବିଭାଗ ପାଖରେ ପହଞ୍ଚୁଛି। ଆଇଏମ୍ଇଆଇ ହେଉଛି ଏକ ୧୫ ଅଙ୍କର ସଂଖ୍ୟା ଯାହା ଜରିଆରେ ଫୋନ୍କୁ ଚିହ୍ନଟ କରାଯାଇଥାଏ। ଅନୁମୋଦିତ ଫୋନ୍ର ତାଲିକାକୁ ଏହି ବ୍ୟବସ୍ଥାରେ ଯୋଡ଼ିବା ପରେ କେତେ ନକଲି ବା କ୍ଲୋନ୍ଡ ଫୋନ୍ ରହିଛି ତାହା ସହଜରେ ଚିହ୍ନଟ ହୋଇପାରିବ।
ସରକାର ବିକାଶ କରିଥିବା ବ୍ୟବସ୍ଥା ଓ ଟେଲିକମ୍ ଅପରେଟରମାନେ ଆଇଏମ୍ଇଆଇ ନମ୍ବରକୁ ଦେଖି ଚୋରି ହୋଇଥିବା କିମ୍ବା ହଜିଯାଇଥିବା ଫୋନ୍କୁ ଠାବ କରିପାରିବେ। ସାଧାରଣତଃ ଚୋରି ହେଉଥିବା ଫୋନ୍ର ଆଇଏମ୍ଇଆଇ ନମ୍ବରକୁ ବଦଳାଇ ଦିଆଯାଏ। ଫଳରେ ତାହାକୁ ଠାବ କରିବା ଆଉ ସହଜ ହୁଏ ନାହିଁ। ମାତ୍ର କ୍ଲୋନଡ୍ ମୋବାଇଲ୍ଗୁଡ଼ିକୁ ଚିହ୍ନଟ କରିବା ପରେ ଏହି ସମସ୍ୟା ରହିବ ନାହିଁ। ବିଭିନ୍ନ ତଥ୍ୟକୁ ବ୍ୟବହାର କରି କ୍ଲୋନ୍ଡ ହ୍ୟାଣ୍ଡ୍ସେଟ୍କୁ ବ୍ଲକ୍ କରାଯାଇପାରିବ। ସିଇଆଇଆର୍ ବିକାଶ କରିବା ପଛର ମୂଳ ଉଦ୍ଦେଶ୍ୟ ହେଉଛି ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ୍ ଫୋନ୍ ବିଷୟରେ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପ୍ରକ୍ରିୟାକୁ ସହଜ କରିବା। ଏହି ବ୍ୟବସ୍ଥା ଦ୍ବାରା ଚୋରି ଫୋନ୍ ବ୍ଲକ୍ କରିହେବ ଯଦ୍ବାରା ତାହାର କେହି ଅପବ୍ୟବହାର କରିପାରିବେ ନାହିଁ। ଚୋରି ଫୋନ୍ ବ୍ୟବହାର ଉପଯୋଗୀ ନହେଲେ ଫୋନ୍ ଚୋରି ଭଳି ମାମଲା କମିଯିବ ବୋଲି ଆଶା କରାଯାଉଛି।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

